ରାଉରକେଲା, ଲାଂଚ ନେଉଥିବା ବେଳେ ଗତକାଲି ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିବା ଗଇରବାହାଲ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଆୟୂଷ ଡାକ୍ତର ସାରଦାପ୍ରଶନ୍ନ ବେହେରାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗତକାଲି ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଭିଯୁକ୍ତ ଡାକ୍ତରଙ୍କ କ୍ଵାଟର୍ସ ଓ ବାସଭବନରେ ଚଢ଼ଉ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ଚଢ଼ଉ ଜାରୀ ରହିଛି । ସେପଟେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଂଟ ଗୁଡିକ ବାବଦରେ ଯାଂଚ୍ ଆରମ୍ଭ ହୋଇଛି । ତେବେ ଶନିବାର ଆଜି ବ୍ୟାଙ୍କ ହାଫ୍ ଡେ ଓ ଆସନ୍ତାକାଲି ରବିବାର ରହିଥିବା ବେଳେ ସମ୍ପ୍ରତି ଡାକ୍ତରଙ୍କ ଧର୍ମପତ୍ନୀ ଅନ୍ତଃସତ୍ଵା ରହିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ମାନେ ଏସବୁ ଦିଗକୁ ଆଖି ଆଗରେ ରଖି ତଦନ୍ତ ପ୍ରକ୍ରିୟା ଜାରୀ ରଖିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୭ ତାରିଖରେ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଟୋ ଡ୍ରାଇଭର ସୁଲେମାନ ଖାଲକୋ ଆହତ ଯାତ୍ରୀ ମାନଙ୍କୁ ନିଜର ଅନ୍ୟ ଏକ ଅଟୋରେ ନେଇ ଆୟୂଷ ଡାକ୍ତର ସାରଦାପ୍ରଶନ୍ନ ବେହେରାଙ୍କ କୁତ୍ରା ସ୍ଥିତ ସରକାରୀ ବାସଭବନରେ ପହଂଚି ଥିଲେ । ଏହି ସମୟରେ ତାଙ୍କୁ ସେଠାରୁ କୌଣସି ସହଯୋଗ ମିଳିନଥିଲା । ପରେ ସେ ରାଜଗାଙ୍ଗପୁରର ଜଣେ ଡାକ୍ତରଙ୍କ ପାଖରେ ପହଂଚି ଔଷଧପତ୍ର ନେଇ ଆୟୂଷ ଡାକ୍ତରଙ୍କ ନିକଟରେ ପହଂଚିଥିଲେ । ତେବେ ସେଠାରେ ଆୟୂଷ ଡାକ୍ତର ଶ୍ରୀ ବେହେରା ଦୁର୍ଘଟଣାଗ୍ରସ୍ତ ଅଟୋ ଚାଳକ ଓ ଲୋକଙ୍କୁ ସରକାରୀ ଭାବେ କୌଣସି ଔଷଧ ପତ୍ର ନଦେଇ ଚାଳକଙ୍କୁ ଓଲଟା ଧମକାଇଥିଲେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବି କି?, ପୋଲିସ ଜାଣିଲେ ତୋର ଲାଇସେନ୍ସ ବାତିଲ୍ ହେବ ଓ ଗାଡି ଜବତ ହେବା ସହ ଗିରଫ ହେବୁ ଏବଂ ମାମଲାକୁ ରଫାଦଫା କରିବା ପାଇଁ ୧୫ ହଜାର ଟଙ୍କା ଲାଂଚ ମାଗିଥିଲେ । ତେବେ ଅଟୋଚାଳକ ସୁଲେମାନ ଆୟୂଷ ଡାକ୍ତର ଶ୍ରୀ ବେହେରାଙ୍କୁ ୧୨ ହଜାର ଦେବାକୁ ରାଜି ହେବା ସହ ୮ ହଜାର ଟଙ୍କା ଅଗ୍ରୀମ ଦେଇ ୪ ହଜାର ପରେ ଦେବାକୁ କହି ଘରକୁ ଫେରିଥିଲେ । ପରେ ଡାକ୍ତର ବାବୁ ସୁଲେମାନଙ୍କୁ ୪ ହଜାର ଟଙ୍କା ପାଇଁ ବାରମ୍ବାର ଫୋନ୍ କରିଥିବା ସୁଲେମାନ ଭିଜିଲାନ୍ସ ନିକଟରେ କହିଛନ୍ତି । ଗତକାଲି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନିଜ ସରକାରୀ ବାସଭବନରେ ଅଟୋ ଚାଳକ ସୁଲେମାନ ଠାରୁ ଡାକ୍ତର ଶ୍ରୀ ବେହେରା ବକେୟା ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।