ଗଞ୍ଜାମ, ଚେକ୍ ବାଉନ୍ସ ମାମଲାରେ ଦମ୍ପତିଙ୍କୁ ଗିରଫ କଲା ପଞ୍ଜାବ ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାବନପୁର ଗ୍ରାମରୁ ପଞ୍ଜାବ ପୋଲିସ ଚେକ୍ ବାଉନ୍ସ ମାମଲାରେ ପତିପତ୍ନୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଅଭିଯୁକ୍ତ ଦମ୍ପତି ହେଲେ ବିରଂଚି ନାରାୟଣ ନାହାକ ଓ ତାଙ୍କ ପତ୍ନୀ ରୀନା କୁମାରୀ ନାହାକ । ଉଭୟଙ୍କୁ ପଞ୍ଜାମ ପୋଲିସ ତାଙ୍କ ଘରୁ ଗିରଫ କରିବା ପରେ ଗତକାଲି ଆସିକା ଏସଜେଏମଏଫସିଙ୍କ କୋର୍ଟରେ ହାଜର କରାଇବା ପରେ ଆଜି ଟ୍ରାଞ୍ଜିଟ ରିମାଣ୍ଡରେ ପଞ୍ଜାବ ନେଇ ଯାଇଥିବା ସୂଚନା ମିଳିଛି ।
ପଞ୍ଜାବ ଫିରୋଜପୁର ଜିଲାର ତଲୱାଣ୍ଡି ଭାଇ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବିରଂଚି ଓ ତାଙ୍କ ପତ୍ନୀ ରୀନା କୃଷି ଯନ୍ତ୍ରପାତି ଓ ଟ୍ରାକ୍ଟର ଡିଲରସିପ୍ ନେଇ ବ୍ୟବସାୟ କରୁଥିଲେ । ବ୍ୟବସାୟ ବାବଦରେ କମ୍ପାନୀ ନାମରେ ଦେଇଥିବା ଚେକ୍ ବାଉନ୍ସ ହୋଇଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲା । ହେଲେ ଉଭୟ ଏହାକୁ ଏଡାଇ ଚାଲିଥିଲେ । ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ହୋଇଥିବା ମାମଲା ପ୍ରକାରେ ପଞ୍ଜାବ ପୋଲିସ ଆସିକା ପୋଲିସ ସହାୟତାରେ ଏହି ଦମ୍ପତିଙ୍କୁ ତାଙ୍କ ଗାଁ ଘରୁ ଗିରଫ କରିଥିବା ନେଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।