-
ଚାଲି ପାରିଲା ନାହିଁ ପ୍ରଶ୍ନ କାଳ
ଭୁବନେଶ୍ୱର,ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀକୁ ଛ଼ଡା ଯିବା ଦାବିରେ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବା କାରଣରୁ ଆଜି ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲି ପାରି ନାହିଁ । ହଟ୍ଟଗୋଳ କାରଣରୁ ବାଚସ୍ପତି ବିଧାନସଭାକୁ ସ୍ଥଗିତ କରିବା ସହ ସର୍ବଦଳୀୟ ବୈଠକ ଡକାଇଥିଲେ ।
୧୦.୩୦ରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ଏକ ପ୍ରଶ୍ନର ଉତର ଦେବାକୁ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେଓଙ୍କୁ ଡାକିଥିଲେ । ମନ୍ତ୍ରୀ ଶ୍ରୀ ଦେଓ ପ୍ରଶ୍ନର ଉତର ଦେବା ଆରମ୍ଭ କରିଥିଲେ ।
ଅନ୍ୟ ପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ବିଧାନସଭାର ଖବର ସଂଗ୍ରହ ପାଇଁ ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ମାନଙ୍କୁ ପ୍ରବେଶ ଦେବା ପାଇଁ ଦାବି କରିଥିଲେ । ସେମାନେ ଏହି ଦାବିରେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କ କଥା ନ ଶୁଣି ଗୃହ କାର୍ଯ୍ୟକୁ ଜାରୀ ରଖିଥିଲେ ।
ଅନ୍ୟ ପକ୍ଷରେ ବିରୋଧୀ ବିଧାୟକ ମାନେ ମଧ୍ୟ ନାରାବାଜୀ ଜାରୀ ରଖିଥିଲେ । ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ବିଧାନସଭାର ଏହି ଅଧିବେଶନ କୋବିଡ ଗାଇଡଲାଇନ ଅନୁସାରେ ଚଳା ଯିବାକୁ ସ୍ଥିର ହୋଇଥିଲା । ତେଣୁ ଗୃହ ସେହି ନିଷ୍ପତି ଆଧାରରେ ଚାଲୁଛି । ତେଣୁ ଆପଣ ମାନେ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ।
ବାଚସ୍ପତିଙ୍କ ଏହି ଅନୁରୋଧ ବିରୋଧୀ ଦଳର ବିଧାୟକ ମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା । ତେଣୁ ସେ ବିରୋଧୀ ଦଳର ପ୍ରତିନିଧି ଓ ସରକାର ଦଳର ପ୍ରତିନିଧି ମାନଙ୍କୁ ଏହି ମାମଲାର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ ଓ ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।