ନୂଆଦିଲ୍ଲୀ/ଭୁବନେଶ୍ୱର, ଓଡିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହଯୋଗରେ ଭାରତ ସରକାର ଜଳଜୀବନ ମିଶନ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାଇପ ଜଳ ସଂଯୋଗ ବ୍ୟବସ୍ଥା ଯୋଗାଇ ଦେବାରେ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଓଡିଶା ଅନ୍ତର୍ଭୁକ୍ତ ଏବଂ ରାଜ୍ୟର ଜଳକ୍ଲିଷ୍ଟ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଲୋକଙ୍କୁ ପାନୀୟ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯାଉଛି । ଓଡିଶାରେ ୮୮.୫୭ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୨୦୨୨ ଜୁଲାଇ ୧୮ ସୁଦ୍ଧା ୪୩ ଦଶମିକ ୮୭ଲକ୍ଷ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଲୋକସଭାର ବିଜେଡି ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ।
କେନ୍ଦ୍ରାପଡା ସାଂସଦ ଶ୍ରୀ ଅନୁଭବ ମହାନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କଠାରୁ ପାଞ୍ଚଟି ପ୍ରସଙ୍ଗରେ ଉତର ମାଗିଥିଲେ ।
ପ୍ରଥମ ଓ ଦ୍ୱିତୀୟ ପ୍ରଶ୍ନର ଉତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ ଯେ ଓଡିଶା ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡିକରେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ଗଭୀର ନଳକୂପମାନ ବସାଯାଉଛି । ଏହାଛଡା ଏସବୁ ଗଭୀର ନଳକୂପର ଜଳଉତ୍ସ ତଥା ଅନ୍ୟାନ୍ୟ ମଧୁର ଜଳ ଉତ୍ସରେ ଲୁଣିପାଣି ଯେପରି ନ ମିଶେ ସେଥିପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ସେହିଭଳି ଯେଉଁଠି ମଧୁର ଜଳ ଉତ୍ସ ରହିଛି ସେଠାରେ ଭୂତଳଜଳକୁ ପାଇପ ଯୋଗେ ଲୋକଙ୍କୁ ଯୋଗାଇ ଦିଆଯାଉଛି । ସେହିଭଳି ଲୁଣାଂଚଳରେ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପରେ ପାଣି ଯୋଗାଇ ଦିଆଯାଉଛି । ଲୁଣାଞ୍ଚଳ ବୃହତ ପାଇପ ଜଳ ଯୋଗାଣ ଯୋଜନାରେ ଚିରସ୍ରୋତା ନଦୀରେ ଇନ୍?ଟେକ ୱେଲ କରି ପମ୍ପ ଦ୍ୱାରା ପାଣି ଉଠାଇ ତାହାକୁ ବିଶୋଧନ କରି ଲୋକଙ୍କୁ ପ୍ରଦାନ କରାଯାଉଛି ।
ସେ ଆହୁରି କହିଛନ୍ତି ଯେ ଜଳଜୀବନ ମିଶନରେ ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାଇପ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଯୋଗରେ କାମ କରୁଛନ୍ତି । ଏହି ଯୋଜନାରେ ଜଳ କ୍ଲିଷ୍ଟ ଅଞ୍ଚଳକୁ ଚିହ୍ନଟ କରିବା ସହିତ ଜଳର ମାନ ପରୀକ୍ଷା କରିବାକୁ ଅଗ୍ରାଧିକାର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ୨୦୨୨ ଜୁଲାଇ ୧୮ ତାରିଖ ସୁଦ୍ଧା ଓଡିଶାର ୮୮.୫୭ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୪୩. ୮୭ ଲକ୍ଷ ପରିବାରଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି । ଏଥିରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଳା ସମୂହ ଅନ୍ତର୍ଭୁକ୍ତ ।
ମନ୍ତ୍ରୀ ଶ୍ରୀ ପଟେଲ ଆହୁରି କହିଛନ୍ତି ଯେ ଓଡିଶାର ସହରାଂଚଳରେ “ଅମୃତ” ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲିଛି । ରାଜ୍ୟର ନ ଟି ସହର ଓ ଛ’ଟି ଉପକୂଳ ଅଞ୍ଚଳ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଓଡିଶା ସରକାର ଯେଉଁ ୭୨ଟି ପ୍ରକଳ୍ପର ପ୍ରସ୍ତାବ ରାଜ୍ୟ ଜଳ କ୍ରିୟାନୁଷ୍ଠାନ ଯୋଜନା-୧ (ଷ୍ଟେଟ ୱାଟର ଆକ୍ସନ ପ୍ଲାନ-୧)ରେ ଦେଇଥିଲେ ତାହାକୁ କେନ୍ଦ୍ର ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛି ।
ସେ ଆହୁରି କହିଛନ୍ତି ଯେ ପାନୀୟ ଜଳ ଯୋଗାଇବାର ଯୋଜନା ପ୍ରସ୍ତୁତି, ତାହାର ଅନୁମୋଦନ ଓ କାର୍ଯ୍ୟକାରିତା ଦାୟିତ୍ୱ /କ୍ଷମତା ଓଡିଶା ସମେତ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଓଡିଶାର ଉପକୂଳ ଅଂଚଳରେ ସାଲାଇନ ୱାଟର ଟ୍ରିଟମେଂଟ ପ୍ଲାଂଟ ସ୍ଥାପନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ।
ସେହିଭଳି ରାଜ୍ୟର ଉପକୂଳବର୍ତୀ ଅଞ୍ଚଳରେ ଭୂତଳ ଓ ଭୂପୃଷ୍ଠ ଜଳଉତ୍ସ ଲୁଣାପାଣିର ପ୍ରଭାବରେ ପ୍ରଦୂଷିତ ହେଉଥିବା ଘେନି କୌଣସି ସର୍ଭେ ଏ ଯାଏ କରାଯାଇନାହିଁ ବୋଲି ଓଡିଶାର ସରକାରଙ୍କ ରିପୋର୍ଟରୁ ଜଣାପଡିଛି ବୋଲି ସେ କହିଛନ୍ତି ।