ମାଲକାନଗିରି, ମୋଟୁ ବନ୍ୟାରେ ବୁଡ଼ି ଯାଇଥିଲା ୪ଟି ଟ୍ରକ୍ । ଏହି ଟ୍ରକ୍ ଗୁଡ଼ିକ ବନ୍ୟାପାଣିରେ ପ୍ରାୟ ୫ ଦିନ ବୁଡ଼ି ରହିବା ପରେ ଆଜି ଗୋଟିଏ ଟ୍ରକକୁ ପାଣିରୁ ଉଦ୍ଧାର କରାଯାଇଥିଲା । ତେବେ ଅନ୍ୟ ଟ୍ରକ୍ ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଥିବାର ଜଣାପଡ଼ିଛି । ବନ୍ୟା ପୂର୍ବରୁ ଗୋଟିଏ ହାଇୱା ଗାଡ଼ି ସାବେରୀ ନଦୀରେ ନିର୍ମିତ ହେଉଥିବା ନୂତନ ସେତୁ ତଳେ ଥିବା ନଦୀ ଭିତରେ ଉଭୟପଟେ ବନ୍ୟାପାଣି ଘେରି ଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଗାଡ଼ିକୁ ରାସ୍ତାରେ ଛାଡ଼ି ଦେଇ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ତେବେ ରାସ୍ତା ଉପରୁ ଆଜି ପାଣି ତଳକୁ ଖସିବା ପରେ ଗାଡ଼ି ମାଲିକ ମେକାନିକ୍ ନେଇ ଟ୍ରକକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ସୂଚନା ମିଳିଛି । ଏବେ ମଧ୍ୟ କୁଇଗୁର ପୋଲ ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାର ଜଣାପଡ଼ିଛି । ଆସନ୍ତାକାଲି ଏହି ରାସ୍ତାରେ ପାଣି କମିବାର ସମ୍ଭାବନା ରହିଛି । ଏହି ହାଇୱା ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥାର ବୋଲି ଜଣାପଡ଼ିଛି । ତେବେ ଆଜି ନଦୀ ଭିତରୁ ଏହାକୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିବାର ଜଣାପଡ଼ିଛି । ସେହିପରି ମୋଟୁ ଚିନ୍ତୁ ର ମଝିରେ ଥିବା କୁଇଗୁର ପୋଲ ନିକଟରେ ୩ଟି ଟ୍ରକ୍ ବନ୍ୟାପାଣିରେ ବୁଡ଼ିଯାଇଥିଲା । ଏହି ଟ୍ରକ୍ ଗୁଡ଼ିକ ଜଗଦଲପୁରରୁ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳ ହଠାତ୍ ବନ୍ୟାପାଣି ରାସ୍ତା ଉପରେ ଚାଲି ଆସିବାରୁ ଗାଡ଼ି ଚାଳକ ଟ୍ରକ୍ ଗୁଡ଼ିକୁ ଆଉ ଆଗକୁ ନେଇପାରିନଥିଲେ । ସବୁଠାରୁ ବଡ଼ କଥା ଏହି ଟ୍ରକ୍ ଗୁଡ଼ିକ ଯେଉଁ ରାସ୍ତାରେ ଯାଉଥିଲା ସେହି ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହେବାର ସମ୍ଭାବନା ରହିଛି ।
ସୂଚନା ଥାଉକି, ପୋଲାଭରମ୍ ଡ୍ୟାମର ପଛୁଆ ପାଣି ଯୋଗୁଁ ଗୋଦାବରୀ ନଦୀ ଫୁଲିଯିବା ପରେ ମୋଟୁ ନିକଟରେ ଥିବା ସିଲେରୁ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇ ମୋଟୁ ଗ୍ରାମକୁ ବନ୍ୟାପାଣି ପଶିଯାଇ ଅନେକ ଘରଦ୍ୱାର ବୁଡ଼ାଇ ଦେଇଥିଲା । ଚିନା ଗୋଦାବରୀ ନଦୀ କୂଳରେ ଥିବା ଚିନ୍ତୁର ମଣ୍ଡଳର ଅନେକ ଗ୍ରାମ ମଧ୍ୟ ଏହି ବନ୍ୟାପାଣିରେ ବୁଡ଼ିଯାଇ ବ୍ୟାପକ କ୍ଷତି କରିଥିଲା । ଖାଲି ସେତିକି ନୁହେଁ ରାଞ୍ଚି – ବିଜୟୱାଡ଼ା ୩୨୬ନଂ ଜାତୀୟ ରାଜପଥ ଏହି ଚିନ୍ତୁର ମଣ୍ତଳ ଦେଇ ଆନ୍ଧ୍ରକୁ ସଂଯୋଗ କରୁଥିବାରୁ ବନ୍ୟା ଯୋଗୁଁ ଏହି ରାଜମାର୍ଗ ଏକ ସପ୍ତାହ ହେଲା ବନ୍ୟାପାଣିରେ ବୁଡ଼ି ରହିଥିଲା । ଫଳରେ ଓଡ଼ିଶା ସମେତ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଯାଉଥିବା ଶହଶହ ଯାନବାହନ ଏକ ସପ୍ତାହ ହେଲା ଉଭୟପଟେ ଫସି ରହିଛି।