ମାଲକାନଗିରି, ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଜବାନପଲୀ ସ୍କୁଲରେ ଆଜି ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାଲିମେଳା ଚାଇଲ୍ଡ ଲାଇନ୍ ପକ୍ଷରୁ କେ.ମିଶାଇଲ ରାଜୁ, ରୀନା ମାଡ଼କାମୀ , ବିଳାସିନୀ ଢ଼ାଲି ଓ ପଦ୍ମନାଭ ମାଢ଼ି ପ୍ରମୁଖ ଯୋଗଦେଇ ବାଲ୍ୟବିବାହ ଯୋଗୁଁ କଣ କଣ ଅସୁବିଧା ହୁଏ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ବାପା ମା ମାନେ କମ୍ ବୟସରେ ନିଜର ଝିଅମାନଙ୍କୁ ବିବାହ କରାଇ ଦେଉଥିବାରୁ ଅନେକ କିଶୋରୀ ସନ୍ତାନ ପ୍ରସବ ସମୟରେ ମୃତ୍ୟୁମୁଖରେ ପଡ଼ିଥାନ୍ତି । ସେହିପରି ପାରିବାରିକ ବୋଝ ସମ୍ଭାଳି ନ ପାରି ଅନେକ ଅପ୍ରାପ୍ତ ବୟସ୍କ ମା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । ତେଣୁ ଉପଯୁକ୍ତ ବୟସ ହେବା ପରେ ଜଣେ ଯୁବତୀ ବିବାହ କରିବା ଉଚିତ୍ ବୋଲି କୁହାଯାଇଥିଲା । ବାଲ୍ୟବିବାହକୁ ପ୍ରୋତ୍ସାହିତ କଲେ ଆଇନ ଅନୁସାରେ ଦଣ୍ଡବିଧାନର ମଧ୍ୟ ପ୍ରାବଧାନ ରହିଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବ କିଶୋର ମଲିକ, ବିଶ୍ବଜିତ ଦାସ, ଦେବା ମାଡ଼କାମୀ ସମେତ ଅନେକ ଶିକ୍ଷକ ଉପସ୍ଥିତ ରହିଥିଲେ।