ନୂଆଦିଲ୍ଲୀ/ଭୁୁବନେଶ୍ୱର, ରାଷ୍ଟ୍ରପତି ନିର୍ବାଚନରେ ଆଗୁଆ ରହିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦେଶରେ ପଂଚଦଶ ରାଷ୍ଟ୍ରପତି ଲାଗି ହୋଇଥିବା ନିର୍ବାଚନ ଲାଗି ପୂର୍ବାହ୍ନ ୧୧ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଛନ୍ତି । ଯାହାର ମୂଲ୍ୟ ହେଉଛି ୩,୭୮,୦୦୦ । ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୨୦୮ ଖଣ୍ଡ ଭୋଟ ପାଇଛନ୍ତି । ଯାହାର ମୂଲ୍ୟ ହେଉଛି ୧,୪୫,୬୦୦ । ୧୫ଟି ଭୋଟ ନାକଚ ହୋଇଛି । ଏହି ପ୍ରଥମ ପର୍ଯ୍ୟାୟରେ ସମସ୍ତ ସାଂସଦମାନଙ୍କର ଭୋଟ୍ ଗଣତି କରାଯାଇଛି । ତେବେ ଗଣତି ଜାରି ରହିଛି । ପରବର୍ତୀ ଫଳାଫଳ ବିଷୟରେ ଅବଗତ କରାଯିବ ।
ଅପରପକ୍ଷରେ ଦ୍ରୌପଦୀଙ୍କ ପାଇଁ ରାଜ୍ୟରେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଦ୍ରୌପଦୀଙ୍କ ଜନ୍ମସ୍ଥାନ ରାଇରଙ୍ଗପୁର ଠାରୁ ଆରମ୍ଭ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ନାଚ, ଗୀତ ରେ ମାତିଛନ୍ତି ଦଳୀୟ କର୍ମୀ ଓ ନେତା । ସେହିପରି ବିଜେପି ବିଧାୟକମାନେ ବିଧାନସଭାରେ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।