କନ୍ଧମାଳ, ଫୁଲବାଣୀ ପୌରପରିଷଦ ଅଂଚଳର ମୁଖ୍ୟ ରାସ୍ତାର କୃଷିବିଭାଗ ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମେନରୋଡ ମଧ୍ୟରେ ରାସ୍ତାର ପିଚୁ ଉଠି ଯାଇଛି। ଫଳରେ ରାସ୍ତାରେ ଗାଡିମୋଟର ଯାତାୟାତ ବେଳେ ଧୂଳି ଉଡି ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି । ଏହାଦ୍ବାରା ମୁଖ୍ୟ ରାସ୍ତା ଧୂଳିମୟ ହେବା ଯୋଗୁଁ ଯାତାୟତ କରୁଥିବା ଲୋକେ ଅଣ ନିଶ୍ବାସି ହୋଇ ପଡୁଛନ୍ତି ଏବଂ ଲୋକମାନଙ୍କୁ ସେହି ରାସ୍ତାରେ ଯିବା ବେଳେ ଅସ୍ବସ୍ଥିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।
ପୂର୍ତ୍ତ ବିଭାଗ ଦ୍ଵାରା ଗତ କିଛି ଦିନ ତଳେ କରାଯାଇଥିବା ଏହି ରାସ୍ତାର ମରାମତି କାମ ନିମ୍ନମାନର ହୋଇଥିବା ଯୋଗୁଁ ରାସ୍ତାରୁ ପିଚୁ ଉଠି ଯାଇ ରାସ୍ତାରେ ବଜୁରୀ ଓ ବାଲି ଉଠି ଯିବା ଫଳରେ ରାସ୍ତାରେ ଗାଡି ମୋଟର ଯାତାୟତ ବେଳେ ଭୀଷଣ ଧୂଳି ଉଡୁଛି। ଏଥିପାଇଁ ଫୁଲବାଣୀର ମୁଖ୍ୟ ରାସ୍ତାରେ ଏହିଭଳି ପ୍ରଦୁଷଣ ହେଉଛି। ଏଥିପାଇଁ ଜିଲ୍ଲାପାଳଙ୍କ କାଯ୍ୟାଳୟ ଠାରୁ ମାଦିକୁନ୍ଦା ଛକ ପଯ୍ୟନ୍ତ ଯିବା ଆସିବା କରିବା ଲୋକେ ଧୂଳି ଯୋଗୁଁ ଅଣନିଶ୍ବାସୀ ହୋଇ ପଡୁଛନ୍ତି । ଗତ କିଛି ଦିନ ଧରି ଜନ ସାଧାରଣ ଗମନାଗମନ ସହ ବିଭିନ୍ନ ପ୍ରକାର ଯାନବାହାନରେ ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ପ୍ରତି ବର୍ଷ ଏହି ରୋଡ ବାର୍ଷିକ ଦୁଇ / ତିନିରୁ ଚାରିଥର ନୂତନ ଭାବେ ନିର୍ମାଣ କରାଯାଉଥିଲା ମଧ୍ୟ ରୋଡ ମଧ୍ୟରୁ ପିଚୁ ସହ ବାଲି ଉଠି ଯିବା ଫଳରେ ବାୟୁ ପ୍ରଦୂଷଣ ହେଉଛି ।
ଫୁଲବାଣୀ ସହର କଦ୍ଧମାଳ ଜିଲ୍ଲାର ସଦର ମହାକୁମା ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ପୌରପରିଷଦ କର୍ମକର୍ତ୍ତା ତଥା ପୂର୍ତ୍ତ ବିଭାଗର କୋଠାବାଡି ମୁଖ୍ୟ ଯନ୍ତ୍ରୀ, ମଣ୍ଡଳ କୋଠାବାଡି ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସହ ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କନିଷ୍ଠ ଯନ୍ତ୍ରୀ ମାନେ ରହି କାର୍ଯ୍ୟ ତଦାରଖ କରୁଛନ୍ତି । ଜିଲ୍ଲାର ସଦର ମହାକୁମାରେ ଯଦି ଏଭଳି ନିର୍ମାଣ କାର୍ଯ୍ୟ କରାଯାଉଛି, ତା ହେଲେ ଅନ୍ୟାନ୍ୟ ଅଞ୍ଚଳର କାର୍ଯ୍ୟ କିଭଳି ହେଉଥିବ ସେ କଥା ନ କହିବା ଭଲ ବୋଲି ବରିଷ୍ଠ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ନୂତନ ଜିଲ୍ଲାପାଳ ନିର୍ମାଣ କାର୍ଯ୍ୟ ଗୁଡିକର ସମିକ୍ଷା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ପ୍ରତିଦିନ ସହରରେ ବର୍ଷା ହେଉଥିବା ବେଳେ କୃଷି ଛକ ଠାରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ପଯ୍ୟନ୍ତ ରହିଥିବା ମେନ ରୋଡ ମଧ୍ୟରେ ବାୟୁମଣ୍ଡଳ ପ୍ରଦୂଷଣ ସହର ବାସୀଙ୍କୁ ଚିନ୍ତାରେ ପକାଇଛି । ତୁରନ୍ତ ବାୟୁ ପ୍ରଦୂଷଣ ରୋକିବା ସହ ପ୍ରତିକାର ପାଇଁ ଜିଲ୍ଲା ସଚେତନ ବରିଷ୍ଠ ନାଗରିକ ସଂଘ ଦାବି କରିଛି ।