ମାଲକାନଗିରି, ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜୋରିମାନାରେ ଦନ୍ଡିତ କରିଛନ୍ତି ମାଲକାନଗିରି ଜିଲା ବିଚାରପତି ଏସରେଖା ପ୍ରସାଦ । ଏଥି ସହ ଜୋରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି।
ବାଲିମେଳା ଛକରେ ଓ ର୍କେଲ ପୁଲିସ ଏସଆଇ ନୀଳାଦ୍ରିଚରଣ ବିଶ୍ବାଳଙ୍କ ନେତୃତ୍ବରେ ଗତ ୧୮/ ୦୫ /୨୦୧୯ରେ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଥିଲା । ସେହି ସମୟରେ ମୋଟରସାଇକେଲ ନମ୍ବର ଓଡି ୩୦ଏ ୯୨୧୫ରେ ଜଣେ ବ୍ୟକ୍ତି କିଛି ବସ୍ତା ରଖି ଦ୍ରୁତ ଗତିରେ ଆସୁଥିଲା । ପୁଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଦୁଇଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ତୁରନ୍ତ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରି ଗାଡି ଓ ଗଞ୍ଜେଇକୁ ଜବତ କରିଥିଲା । ଗିରଫ ବ୍ୟକ୍ତିଙ୍କ ନାମ ପୂର୍ଣ୍ଣ ଡୁରକା । ତାଙ୍କ ଘର ମାଲକାନଗିରି ଜିଲା ସେରପାଲୀ ଗ୍ରାମରେ । ଜବତ ଗଞ୍ଜେଇର ଓଜନ ୫୩ କିଲୋ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଥିଲା । ସରକାରୀ ପିପି ବିଜୟ ମହାନ୍ତି ଏହି ମାମଲାର ପରିଚାଳନା କରିଥିଲେ ।