-
ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ସହରରେ ଜମି ଜାଲିଆତି ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ଗୋପାଳପୁର ପୋଲିସ ଜଣେ ବରିଷ୍ଠ ଦଲିଲ୍ ଲେଖାଳୀ ସୁବାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଥିଲା । କୋର୍ଟରେ ତାଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୂର୍ବରୁ ଦୁଇ ଜଣ ଦଲାଲ୍ ଏବଂ ଜଣେ ସାକ୍ଷିଙ୍କ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ । ଫଳରେ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଡିଫେନ୍ସ କଲୋନୀର ଏକ ଦାମୀ ଜମିର ମାଲିକ ଭୁବନେଶ୍ଵରର ଜଣେ ମହିଳା ଥିବା ବେଳେ ଏଠାକାର କିଛି ଜମି ଦଲାଲ୍ ଉକ୍ତ ଜମିର ମାଲିକ ଭାବେ ଅନ୍ୟ ଜଣେ ମହିଳାଙ୍କୁ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଛିଡାକରି ଉକ୍ତ ଜମିକୁ ଜାଲିଆତି କରିବା ସହ ଜାଲ୍ କାଗଜପତ୍ର କରି ବୁଗୁଡ଼ା ଅଂଚଳର ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରି ଦେଉଥିଲେ । ଏନେଇ ଜମିର ପ୍ରକୃତ ମାଲିକ ଭୁବନେଶ୍ଵରରୁ ଏଠାକୁ ଆସି ଗୋପାଳପୁର ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ବର୍ତମାନ ସବରେଜିଷ୍ଟ୍ରି କାର୍ଯ୍ୟାଳୟର କେତେକ କର୍ମଚାରୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଏହି ଜମି ଜାଲିଆତି ଘଟଣାରେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।