-
ସାର ବିତରଣରେ ଅନିୟମିତତା
ଭୁବନେଶ୍ୱର, ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଂଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଂଟନକୁ ବ୍ୟବସ୍ଥିତ କରିବା ପାଇଁ ଯାଂଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଂଜୀବ ଚୋପ୍ରା ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସାର ବିକ୍ରିର ଯାଂଚ ବ୍ୟବସ୍ଥାକୁ ବ୍ୟାପକ ଓ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ସାରର ମହଜୁଦ ଓ କଳାବଜାରୀକୁ ରୋକିବା ଉଦ୍ଦେଶ୍ୟରେ ସତର୍କ ଦୃଷ୍ଟି ରଖିବା ନିମନ୍ତେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଯାଂଚକାରୀ ଦଳକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଚାଷୀମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ସାର ଉପଲବ୍ଧ କରାଇବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କୋଅପରେଟିଭ୍ ସଂସ୍ଥାର ଡିଲର ଏବଂ ଘରୋଇ ଡିଲରମାନଙ୍କୁ ସାର ଯୋଗାଇ ଦିଆଯାଇଛି । ସାର ସଂଗ୍ରହକାରୀ ସଂସ୍ଥା ମାର୍କଫେଡ୍ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ୟୁରିଆ ସାର ଯଥେଷ୍ଟ ପୂର୍ବରୁ ଡିଲରମାନଙ୍କୁ ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି ।ଏଥି ସହିତ ରାଜ୍ୟର ଆବଶ୍ୟକତା ଅନୁସାରେ ଡିଏପି ଓ ପଟାସ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
ଚାଷୀଙ୍କୁ ସାର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଭାଗୀୟ ଯାଂଚକାରୀ ଦଳ ଗଠନ କରାଯାଇଛି । ପ୍ରତି ବ୍ଲକ୍ ରେ ଅଧିସୂଚିତ କ୍ଷେତ୍ରୀୟ ଅଧିକାରୀଙ୍କୁ ସାର ନିରୀକ୍ଷକ ଭାବେ ନିୟୋଜିତ କରାଯାଇଛି । ଜିଲ୍ଲା ଓ କ୍ଷେତ୍ର ସ୍ତରରେ ଯାଂଚ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ନେବା ସହିତ ଯାଂଚ କାରୀ ଦଳଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ପତ୍ରରେ କୁହାଯାଇଛି । ଏଥି ସହିତ ବିଭିିନ୍ନ ର୍ୟାକ୍ ପଏଂଟରୁ ନିର୍ଦ୍ଧାରିତ ଜିଲ୍ଲାମାନଙ୍କୁ ସାରର ବିତରଣ ଓ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି ।