ବଲାଙ୍ଗିର/ସୁବର୍ଣ୍ଣପୁର, ସୋନପୁର ପୌରପରିଷଦ ତରଫରୁ ଭିଜନ କ୍ଲିନ ସୋନପୁର ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗତକାଲି ସୋନପୁର ସହରକୁ ସ୍ଵଚ୍ଛ ଓ ସୁସ୍ଥ ରଖିବା ନିମନ୍ତେ ଏକ ସଚେତନତା ବୈଠକ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।
ଯୋଜନା ଅନୁଯାୟୀ, ଭିଜନ କ୍ଲିନ ସୋନପୁରକୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ ହୋଇଛି। ସୋନପୁର ସହରକୁ ସ୍ଵଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ। ସମସ୍ତେ ନିଜ ପାରିପାର୍ଶ୍ଵକୁ ସ୍ଵଚ୍ଛ, ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ”କ୍ଲିନ ସୋନପୁର” କୁ ସାକାର କରିବାକୁ ସମସ୍ତେ ଏକଜୁଟ ହୋଇ ଦୃଢ଼ ସଂକଳ୍ପ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଆହ୍ଵାନ କରିଛନ୍ତି। ଏବଂ ସ୍ଵଛତା ଉପରେ ପୁନେ ଓ ବିଶାଖାପାଟଣାର ଉଦାହରଣ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ବୈଠକର ଆଭିମୁଖ୍ୟ ବାବଦରେ ଆଲୋକପାତ କରି ପୌର ପରିଷଦ ଦ୍ଵାରା ନିଆଯାଉଥିବା ସ୍ଵଚ୍ଛତା କାର୍ଯ୍ୟକାରିତାର ଉପସ୍ଥାପନା କରିଥିଲେ। ସେ ଏହି ଅବସରରେ ଜନସାଧାରଣଙ୍କୁ ଆବର୍ଜନା ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର ବୈଠକର ପରିଚାଳନା କରି ନିଜ ବକ୍ତବ୍ୟରେ କ୍ଲିନ ସୋନପୁର ଭିଜନକୁ ସାକାର କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। ମଂଚାସୀନ ଅନ୍ୟ ଅତିଥି ଉପଜିଲ୍ଲାପାଳ ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ପୌରପରିଷଦ ଅଧ୍ୟକ୍ଷା ତମସୀ ତାମସ୍ମିତା ନାଏକ, ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଡ଼ିଏସଡବ୍ଲୁ ଗୌରମଣି ହାଁସଦା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ସ୍ଵଚ୍ଛ ସୋନପୁର ନିମନ୍ତେ ସମସ୍ତେ ଯତ୍ନବାନ ସହ ଦୃଢ ଭାବେ ନିଜ ନିଜ ସ୍ତରରେ ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ଆହ୍ଵାନ କରିଛନ୍ତି। ବୈଠକରେ କାର୍ଯ୍ୟରତ କର୍ମଚାରୀ ନିଜର ଅଭିଜ୍ଞତା କହିଥିବା ବେଳେ କାଉନସିଲର ପ୍ରମୁଖ କ୍ଲିନ ସୋନପୁର ଭିଜନକୁ ସମସ୍ତ ସହଯୋଗର ସହ ଦୃଢ଼ ସମର୍ଥନ ସହିତ ସମସ୍ତ ଜନସାଧାରଣ ଏହି ମହାତ୍ଵକାଂକ୍ଷୀ କାର୍ଯ୍ୟ ନିମନ୍ତେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।
ବୈଠକରେ ପୂର୍ବତନ କାଉନସିଲର, କାର୍ଯ୍ୟରତ କାଉନସିଲର, ବୁଦ୍ଧିଜୀବୀ, ସଚେତନ ନାଗରିକ, ସ୍ବେଛାସେବୀ କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଜିଲ୍ଳା ସ୍ତରୀୟ ଅଧିକାରୀ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି ତଥା ପୌର ପରିଷଦର କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ। ବୈଠକରେ ମିଶନଶକ୍ତି ସଂଯୋଜକ କାର୍ତ୍ତିକ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୌର କର୍ମଚାରୀ ଶିବରାମ ସାହୁ ବୈଠକର ସଂଯୋଜନା କରିଥିଲେ। ପରେ ପରେ ସ୍ଵଂୟ ସହାୟକ ଜୀବନ ଜୀବିକା ସମ୍ପର୍କରେ ସଦସ୍ୟା ମାନଙ୍କୁ ନେଇ ଏକ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମେପିଙ୍ଗ କର୍ମଶାଳା ମିଶନ ଶକ୍ତି ସଂଯୋଜକ ଶ୍ରୀ ନାଏକଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।