-
ଗୌହାଟୀରେ ଏକ ସମ୍ମିଳନୀରେ ଭାଗ ନେବାକୁ ଯାଇଥିବା ବେଳେ ହେଲା ହୃଦଘାତ
ଭୁବନେଶ୍ୱର, ଦେଶର ଜଣାଶୁଣା ଜୀବବିଜ୍ଞାନୀ ତଥା ଆଇଏଲଏସ୍ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ାଙ୍କର ଗୌହାଟୀରେ ପରଲୋକ ଘଟିଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସେ କେନ୍ଦ୍ର ସରକାରଙ୍କ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଗୌହାଟୀ ଯାଇଥିଲେ । ସେଠାରେ ତାଙ୍କର ହୃତଘାତ ହୋଇଥିଲା ଏବଂ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।
ଉଲ୍ଲେଖନୀୟ ଯେ ଡକ୍ଟର ଅଜୟ ପରିଡ଼ା ଯାଜପୁର ଜିଲ୍ଲାର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୯ରୁ ୨୦୧୭ ଯାଏ ଏମଏସ ସ୍ୱାମୀନାଥନ୍ ଇନଷ୍ଟିଟ୍ୟୁଟର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ଜୀବବିଜ୍ଞାନୀ ଭାବେ ଡକ୍ଟର ଅଜୟ ପରିଡ଼ାଙ୍କର କୃଷି, ଉଦ୍ଭିଦ ମଲିକୁଲାର ବାୟୋଲୋଜି ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଯଥେଷ୍ଟ ସୁନାମ ଥିଲା । ୨୦୧୪ ମସିହାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବିଭାଗରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ଡକ୍ଟର ଅଜୟ ପରିଡ଼ା ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ