ପୁରୀ, ସାମାଜିକ ଗଣମାଧ୍ୟମରେ ନିଜର ବ୍ୟକ୍ତିଗତ ସାଇଡ୍ କରି ଅତିରଞ୍ଜିତ ଖବର ପରିବେଷଣ କରାଯାଉଥିବା ଅଭିଯୋଗ ହେଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷିଗୋପାଳ ଅଂଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ନିଜକୁ ନାମୀ ସାମ୍ବାଦିକ ପରିଚୟ ଦେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଚଳିତ ପଚାଂୟତ ନିର୍ବାଚନ ସମୟରେ ସେ ବିଭିନ୍ନ ଦଳର ପ୍ରାର୍ଥୀ, ସମର୍ଥିତ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭିଡ଼ିଓ ପୋଷ୍ଟ କରି ସେମାନଙ୍କର ପ୍ରଚାର ପ୍ରସାର କରିବା, ଖବରକୁ ରାଜନୀତିକରଣ କରିବା, ଅତିରଞ୍ଜିତ ଖବର ପରିବେଷଣ କରିଥିବା ଅଭିଯୋଗ ହେଉଛି । ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ତଥା ବିଜ୍ଞାପନକୁ ଖବର ଆକାରରେ ପରିବେଷଣ କରି ସମ୍ପୃକ୍ତ ବ୍ୟକ୍ତି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହେଉଛି । ଯାହାକି ସେ ସମୟରେ ସେ ତାଙ୍କ ସଂସ୍ଥା ନାମରେ ଥିବା ଫେସବୁକ୍ ଅକାଉଂଟର ଟାଇମ୍ ଲାଇନ୍ ରେ ପୋଷ୍ଟ କରିଥିବା ଭିଡ଼ିଓକୁ ଦେଖିଲେ ଘଟଣା ସମ୍ପର୍କରେ ଜାଣିହେବ । ଏପରିକି କେତେକ ଅତି ସ୍ପର୍ଶକାତର ଖବରକୁ ସଂସ୍ଥାର ଟାଇମ୍ ଲାଇନରେ ପୋଷ୍ଟ କରି ପରବର୍ତି ସମୟରେ ସେସବୁକୁ ଡିଲିଟ୍ କରିଦେଇଥିବା ସାଧାରଣରେ ଆଲୋଚନା ହେଉଛି । ବାସ୍ତବରେ ଏପରି କରି ସେ ମୋଟ୍ କେତେ ଟଙ୍କା ଆଦାୟ କରିଛନ୍ତି ତାହା ତଦନ୍ତ ସାପେକ୍ଷ । ତାଙ୍କର ଏସବୁ ପ୍ରଚାରସର୍ବସ୍ଵ ପୋଷ୍ଟ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ଅଦ୍ୟାବଧି ସମଗ୍ର ଘଟଣା ଅନ୍ଧାରରେ ରହିଛି । ଏଥି ସହିତ ପଚାଂୟତ ନିର୍ବାଚନରେ ସେ ଏଭଳି ଅସଦ୍ ଉପାୟ ଅବଲମ୍ବନ କରି ଲକ୍ଷାଧିକ ଟଙ୍କା ହାତେଇଥିବା ବେଳେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନେତା, କୁଜିନେତା ଓ ବିଭିନ୍ନ ଦଳୀୟ କର୍ମୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । ସାକ୍ଷିଗୋପାଳ ଅଂଚଳରେ ସେ କରିଥିବା ଏକ ଖଟିରେ ପ୍ରତ୍ୟେହ ସଂନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦମାଂସର ଆସର ଜମୁଥିବା ଲୋକେ କହିଛନ୍ତି ।
ସମ୍ପୃକ୍ତ ବ୍ୟକ୍ତି ଏଭଳି ବେନାମୀ ସଂସ୍ଥା ନାମରେ ବୁମ୍ ଧରି ବୁଲୁଥିବା ଓ ଲୋକଙ୍କୁ ଠକୁଥିବା ଅଭିଯୋଗ ହେଉଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିନରେ ଏହି ସଂସ୍ଥା ପଞ୍ଜିକୃତ ହୋଇଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେବେ ଯାହା ହେଉନା କାହିଁକି, ଏପରି କରି ସେ ସମଗ୍ର ସାମ୍ବାଦିକ ଜଗତ ଓ ପେଷାକୁ କଳଙ୍କିତ କରିଥିବା ସତ୍ୟବାଦୀ ଅଂଚଳରେ ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ସମ୍ପୃକ୍ତ ସଂସ୍ଥା ଓ ଏହାର ମାଲିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।