ସାଲେପୁର, ଚାଷୀମାନଙ୍କ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଅଚ୍ୟୁତପୁର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୮ ନଂ କେନାଲ ଓ ୩୭ ଟି ଶାଖା କେନାଲ, ଚାରୋଟି ଫିଡର, ତିନୋଟି ମାହାରା ରହିଛି । ଏହି ସେକ୍ସନରେ ମାତ୍ର ତିନିଜଣ କର୍ମଚାରୀ ରହିଥିଲା ବେଳେ ଜଣେ ଖଲାସୀ ଓ ଜଣେ ପେଟ୍ରୋଲ କାର୍ଯ୍ୟକରୁଛନ୍ତି । ଦୀର୍ଘ ଦୁଇ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀଙ୍କ ପଦ ଖାଲି ପଡିଛି । ବର୍ତ୍ତମାନ ୮ ନଂ କେନାଲ ସଫେଇ ଜେ.ସି.ବି. ଦ୍ଵାରା ନାମକୁ ମାତ୍ର କରାଯାଉଛି । ଏପରିକି ୮ ନଂ କେନାଲର କେତେକ ସ୍ଥାନରେ ବନ୍ଧ ଦୁର୍ବଳ ଥିଲାବେଳେ ଗତ ବର୍ଷ ବାଲି ବସ୍ତା ପକାଯାଇ ବନ୍ଧ ମରାମତି କରାଯାଇଥିଲା। ଚଳିତ ବର୍ଷ ଏହି ବନ୍ଧ ମରାମତି କାର୍ଯ୍ୟ କରାଯାଉ ନାହିଁ । ଅପରପକ୍ଷରେ ନାମକୁମାତ୍ର କେନାଲ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାଦ୍ଵାରା ଏବେଠୁଁ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଲାଣି ଯେ ଚଳିତ ବର୍ଷ କେନାଲ ପାଣି ୮ ନଂ କେନାଲର ଶେଷ ମୁଣ୍ଡଯାଏ ଯିବନାହିଁ । ଏପରିକି କେନାଲରେ ପାଣି ଆସିଲେ ଶାଖା କେନାଲ ଗୁଡିକ ସଫେଇ କରାଯାଏ । ଶାଖା କେନାଲର ଅନେକ ସ୍ଥାନରେ କେନାଲ ବନ୍ଧ ଦୁର୍ବଳ । ଗତବର୍ଷ ବହୁ କେନାଲ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ବି କେତେକ କେନାଲର ବନ୍ଧ ଦୁର୍ବଳଥିବା ଓ ଭାଙ୍ଗି ଯାଇଥିବାରୁ କେନାଲ ପାଣି ଆସିଲେ ଘାଇ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଣୁ ଜଳସଂପଦ ବିଭାଗ କାହାସ୍ଵାର୍ଥରେ କାର୍ଯ୍ୟ କରୁଛି ବୋଲି ଆଲୋଚନା ହେଉଛି । ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଜଳସଂପଦ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଂଚଳର କୃଷକମାନେ ଅନେକ ସମୟରେ ସମସ୍ୟା ଭୋଗୁଛନ୍ତି । ଏଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ନିମ୍ନମାନର କେନାଲ ସଫେଇ ଓ କେନାଲ ବନ୍ଧ ମରାମତି କରିବା ଓ ପୋତି ହୋଇଥିବା କେନାଲର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି ।