ସାଲେପୁର,ମାହାଙ୍ଗା ବ୍ଳକର ଐତିହ୍ୟ ଭାବେ ପରିଚିତ ପର୍ଯ୍ୟଟନସ୍ଥଳ ଉମର ବଳଦେବଜୀଉ ଓ ହନୁମାନ ମନ୍ଦିରକୁ ସଂଯୋଗ କରୁଥିବା ଖନ୍ଦୋଳ -ଉମର ଗ୍ରାମ୍ଯ ଉନ୍ନୟନ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ଧରି ଏହି ରାସ୍ତାର ପୁରୁଣାମଠ ଠାରୁ ଉମର ଓ ଭଉଁରିଆ ଠାରୁ ପନ୍ଦରବାଟିଆ ମଇଯୋରା ପୋଲ ପର୍ଯ୍ୟନ୍ତ ରାସ୍ତାର ମରାମତି କରାଯାଉନଥିବାରୁ ରାସ୍ତାରେ ବଡ ବଡ ଖାଲଖମା ସୃଷ୍ଟି ହେବା ଫଳରେ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ବିଶେଷ କରି ପନ୍ଦରବାଟିଆ ଗ୍ରାମ ମଧ୍ୟରେ ହୋଇଥିବା ଢଳେଇ କଂକ୍ରିଟ ରାସ୍ତାରୁ ଏବେ ବଡ ବଡ ଢଳେଇ ଖଣ୍ଡମାନ ବାହାରି ଅନେକ ସ୍ଥାନରେ ଗାତ ଓ ଫାଟ ସୃଷ୍ଟି ହୋଇଛି । ଏହି ରାସ୍ତାର ଖନ୍ଦୋଳ ଠାରୁ ପନ୍ଦରବାଟିଆ ପୋଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ କାର୍ଯ୍ୟ କରାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇନାହିଁ । ଏହି ରାସ୍ତା ମଧ୍ୟରେ ଜମିଜମା ବିବାଦ ଯୋଗୁ ପନ୍ଦରବାଟିଆ ଗ୍ରାମରେ ପୂର୍ବରୁ ହୋଇଥିବା ଅଣ ଓସାରିଆ ଢଳେଇ ରାସ୍ତା ସଂପ୍ରସାରଣ କରାନଯାଇ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି । ଯାହା ଫଳରେ ଏହି ପୁରୁଣା ଢଳେଇ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ସେହିପରି ପୁରୁଣାମଠ ଠାରୁ ଉମର ଲାଇବ୍ରେରୀ ଛକ ପର୍ଯ୍ୟନ୍ତ ପିଚୁ ରାସ୍ତା ମରାମତି କରାନଯିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଦବି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାନବାହନରେ ଯାତାୟତ କରୁଥିବା ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଏହି ଐତିହ୍ୟପୂର୍ଣ୍ଣ ସ୍ଥଳକୁ ସଂଯୋଗ କରୁଥିବା ରାସ୍ତାକୁ ମରାମତି କରିବା ପାଇଁ ଗ୍ରାମ୍ଯ ଉନ୍ନୟନ ବିଭାଗ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଂଚଳବାସୀ ଦାବୀ କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024