ଭୁୁବନେଶର, ରାଜ୍ୟରେ ଏକ ମେଡିକାଲ ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ଆଇନ ପ୍ରଣୟନ ହୋଇଥିଲେ ସୁଦ୍ଧା ଏହା କେବେ ସୁଦ୍ଧା ସ୍ଥାପିତ ହେବ ତାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କୌଣସି ପ୍ରକାର ସ୍ପଷ୍ଟ ତିଥି ଘୋଷଣା କରୁ ନ ଥିବାରୁ ଏହାକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଥିଲା । କଂଗ୍ରେସ ଦଳର ବିଧାୟକ ମାନଙ୍କ ସହିତ ସରକାରୀ ଦଳର ବିଧାୟକ ମଧ୍ୟ ଏହା କେବେ ସୁଦ୍ଧା ଏହା ପ୍ରତିଷ୍ଠା ହେବ ସେ ସମ୍ପର୍କରେ ନିର୍ଦିଷ୍ଟ ଭାବେ ଜଣାଇବାକୁ ଦାବି କରିଥିଲେ । ବାରମ୍ବାର ପ୍ରଶ୍ନ ସତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ପ୍ରଶ୍ନର ସଠିକ ଉତର ଦେବା ପରିବର୍ତେ ସବୁ ପ୍ରଶ୍ନର ଉତରରେ ଯଥା ଶୀଘ୍ର ଏହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବ ବୋଲି କହିଥିବା ଦେଖିବାକୁ ମିଳିଥିଲା ।
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏ ସମ୍ପର୍କିତ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ମୋହମ୍ମଦ ମୋକିମ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ନାଉରୀ ନାୟକ, ଶାସକ ଦଳର ବିଧାୟକ ଡ. ନୃସିଂହ ମିଶ୍ର ଏହି ବିଶ୍ୱବିଦ୍ୟାଳୟ କେବେ ସୁଦ୍ଧା ପ୍ରତିଷ୍ଠା ହେବ ସେ ସମ୍ପର୍କରେ ନିର୍ଦିଷ୍ଟ ତଥ୍ୟ ରଖିବାକୁ ଦାବି କରିଥିଲେ । ହେଲେ ମନ୍ତ୍ରୀ ଶ୍ରୀ ଦାସ ସବୁବେଳେ ଯଥା ଶୀଘ୍ର ହେବ ବୋଲି ଉତର ଦେଇଥିଲେ । ସେ କହିଥିଲେ ଯେ ଏ ସମ୍ପର୍କରେ ଆଇନ ପ୍ରଣୟନ ହୋଇସାରିଛି । ଅଧିକାରୀ ମାନଙ୍କୁ ନି ଯୁକ୍ତି ଦିଆ ଯାଇଛି । ବଜେଟରେ ଏହା ପାଇଁ ଅର୍ଥର ବ୍ୟବସ୍ଥା କରା ଯାଇଛି । ତେଣୁ ରାଜ୍ୟ ସରକାର ଏହାକୁ ଯଥାଶୀଘ୍ର ସ୍ଥାପିତ କରିବେ ବୋଲି କହିଥିଲେ ।