କନ୍ଧମାଳ, ସମୟ ଥିଲା କନ୍ଧମାଳ ଜିଲ୍ଲା ଟିକାବାଲି ଟାଉନରେ ଥିବା ଏଏମସିଏସ ଗୋଦାମ ଓ ଅଫିସ ଜିଲ୍ଲା ପାଇଁ ପ୍ରସିଦ୍ଧି ଆଣିଥିଲା । ଶହ ଶହ ପରିବାର ଏହି ଗୋଦାମ ଉପରେ ନିର୍ଭର କରି ଚଳୁଥିଲେ । ଗରିବ ଲୋକମାନେ ଶିଆଳି ଖଲି, ଫୁଲ ଝାଡୁ, ତେନ୍ତୁଳି ମଞ୍ଜି, ମହୁ, ଝୁଣା ସଂଗ୍ରହ କରି ଏହି ଗୋଦାମରେ ବିକ୍ରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଗୋଦାମ ପରିଚାଳନା ପାଇଁ ବହୁ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିଥିଲା । ଏଏମସିଏସ ଗୋଦାମର ନିଜସ୍ଵ ଗାଡ଼ି, ଟ୍ରକ୍, ଜିପ ଓ କାର୍ ଥିଲା । ସବୁଠାରୁ ବଡ଼ କଥା ହେଉଛି, ଏଏମସିଏସ ଗୋଦାମ ପ୍ରସିଦ୍ଧି ଯୋଗୁଁ ସେହି ନାଁରେ ଟିକାବାଲି ଅଞ୍ଚଳରେ ଏକ କଲେଜ ପ୍ରତିଷ୍ଠା ହୋଇଥିଲା । ସେହି ଏଏମସିଏସ କଲେଜ ଆଜି ପ୍ରସିଦ୍ଧି ଲାଭ କରିଛି । ଏହା ଗୋଦାମର ଶାଖା ଭୁବନେଶ୍ଵର ଓ ରାଜ୍ୟ ବାହାରେ ମଧ୍ୟ ଥିଲା ବୋଲି ଜଣାପଡ଼ିଛି । ହେଲେ ଆଜି ସେସବୁ ଇତିହାସ ହୋଇଯାଇଛି । ସବୁ କିଛି ବନ୍ଦ ହୋଇଯାଇଛି ।
ଆଉ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଏଏମସିଏସର ଗୋଦାମ । ବର୍ତ୍ତମାନ ସେହି ଗୋଦାମ ଘର ସମ୍ମୁଖରେ ୭ରୁ୮ଟା ଟ୍ରକ୍ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳୁଛି । ଗୋଦାମ ଘର ମଧ୍ୟ ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଭାତ ହାଣ୍ଡି କୁହାଯାଉଥିବା ଆଂଚଳିକ ମାଳ ବାଣିଜ୍ୟ କେନ୍ଦ୍ର (ଏଏମସିଏସ) ଗୋଦାମ କାହିଁକି ବନ୍ଦ ହେଲା ତାହାର ଉତ୍ତର କାହା ନିକଟରେ ନାହିଁ । ତେଣୁ ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।