ଜୟପୁର,ଆରମ୍ଭ ହୋଇଛି ଶ୍ରାବଣ ମାସ। ଶ୍ରାବଣ ମାସକୁ ଏକ ପୂଣ୍ୟ ମାସ ଭାବେ ମନାଯାଏ । ଶିବଙ୍କର ଏହି ମାସର ପ୍ରତ୍ୟେକ ସୋମବାର ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଶ୍ବାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ପୂଜାର୍ଚ୍ଚନା କରି ଯାହାବି ମାଗିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରା ହେବ। ଏହି ବିଶ୍ଵାସ ନେଇ ଆଜି ଶ୍ରାବଣ ପ୍ରଥମ ସୋମବାରରେ ବିଭିନ୍ନ ଶଇବ ପୀଠରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି।
ଗୁପ୍ତେଶ୍ଵର ପୀଠରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରୁଛନ୍ତି କାଉଡ଼ିଆ ଭକ୍ତ । ଗତକାଲି ନଦୀ ଘାଟରେ କାଉଡ଼ିଆଙ୍କ ଭିଡ଼ ଜମିଥିବା ବେଳେ ଆଜି ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ବୋଲବମ ଶବ୍ଦର ଉଚ୍ଚାରଣ ସହ କାନ୍ଧରେ ବାଉଁଶ ଭାରାରେ ଜଳପୂର୍ଣ୍ଣ କଳସୀ ବୋହି ପାଦରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ଗୁପ୍ତେଶ୍ଵର ପୀଠରେ। ଆଜି ଭୋର ଠାରୁ ମନ୍ଦିରର ପାଦଦେଶରୁ ଲମ୍ବା ଧାଡିରେ ଆସି ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ଗତ ଦୁଇ ବର୍ଷ କୋଭିଡ କଟକଣା ଲାଗି ଶ୍ରଦ୍ଧାଳୁ ଶ୍ରାବଣରେ ସାଧାରଣ ଦର୍ଶନରୁ ବଂଚିତ ଥିଲେ କିନ୍ତୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ପାଇଁ ସୁଯୋଗ ରହିଥିବା ଯୋଗୁଁ ଆଜି ପୀଠରେ ଅଧିକ ଭକ୍ତଙ୍କ ଭିଡ଼ ଜମିଛି ଆଉ ରୀତିନୀତି ଅନୁଯାୟୀ ଦେବଦେବ ମହାଦେବ ଭଗବାନ ଶିବଙ୍କ ପୂଜାର୍ଚନା କରାଯାଇଛି ବୋଲି ମୁଖ୍ୟ ପୂଜକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭକ୍ତଙ୍କ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ବୋଲବମ ଆରମ୍ଭ ହୋଇଛି। ଗୁପ୍ତେଶ୍ଵର ପୀଠ ମଧ୍ୟ ଚଳଚଞ୍ଚଳ ହୋଇଛି।