
ଗଞ୍ଜାମ, ଦୀର୍ଘ ୧୦ ଦିନ ଧରି ବ୍ୟାଙ୍କ ଶାଖାରେ ଲିଙ୍କ ରହୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ । ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ଏହି ଶାଖାକୁ ଆଖପାଖ ଅଂଚଳରୁ ଶହଶହ ସଂଖ୍ୟାରେ ଗ୍ରାହକ ଦୈନିକ ଆସୁଥିବା ବେଳେ ଟଙ୍କା ଉଠାଣ, ଡିପୋଜିଟ ଏପରିକି ପାସ୍ ବୁକ୍ ପ୍ରିଂଟ ମଧ୍ୟ ହୋଇ ପାରୁନି । ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଗ୍ରାହକ ଅଟୋ ଯୋଗେ ଆସି ବାରମ୍ବାର ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ସେପଟେ ଚାଷ କାର୍ଯ୍ୟ ଜୋରସୋର୍ ରେ ଚାଲିଥିବା ବେଳେ ଚାଷୀମାନେ ମଧ୍ୟ ଟଙ୍କା ଉଠାଇ ନପାରି ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି ।
ଦୀର୍ଘ ୧୫ ଦିନ ଧରି ଏହି ବ୍ୟାଙ୍କରେ ଲିଙ୍କ ଫେଲ୍ ହୋଇଯାଇଥିବା ବେଳେ ବ୍ୟାଙ୍କର କୌଣସି କାର୍ଯ୍ୟ କରିବା ସମ୍ଭବପର ହୋଇପାରୁନି ବୋଲି କହିଛନ୍ତି ବ୍ୟାଙ୍କ ଶାଖା ପରିଚାଳକ । ସେପଟେ ଏନେଇ ବାରମ୍ବାର ବିଏସଏନଏଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହେଉ ନଥିବା ସେ ପ୍ରକାଶ କରିଛନ୍ତି । ବ୍ୟାଙ୍କ ଶାଖାରେ ବିଏସଏନଏଲ ଇଂଟରନେଟ ଲାଗିଥିବା ବେଳେ ବିଭିନ୍ନ ସମୟରେ ଲିଙ୍କ ଫେଲ୍ ହୋଇଯିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ ଓ ଗ୍ରାହକ । ବିଏସଏନଏଲର ମନମୁଖୀ କାର୍ଯ୍ୟ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଗ୍ରାହକ । ବ୍ୟାଙ୍କ ସେବା ପ୍ରଦାନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଗ୍ରାହକ । ତେବେ ତୁରନ୍ତ ଉଚ୍ଚ କର୍ତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାହକ ।