ଚେନ୍ନାଇ ଠାରେ ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ୪୪ତମ ଚେସ ଅଲମ୍ପିଆଡ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଜନସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଏକ ଟର୍ଚ୍ଚ ରିଲେ ବା ମଶାଲ ଶୋଭାଯାତ୍ରା ଆଜି ଭୁବନେଶ୍ୱର ଠାରୁ ବାହାରି ପୁରୀ ଓ କୋଣାର୍କ ପରିଭ୍ରମଣ କରିଥିଲା।ଅପରାହ୍ନ ୩ ଘଟିକା ସମୟରେ ଏହି ରିଲେ ବଡ଼ଦାଣ୍ଡ ମେଡିକାଲ ଛକରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ ସ୍ୱାଗତ କରିଥିଲେ। ପରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା ପ୍ରମୁଖ ସ୍ୱାଗତ କରିଥିଲେ। ପରେ ଟର୍ଚ୍ଚ କୁ ଆନ୍ତର୍ଜାତିୟ ଚେସ ଖେଳାଳୀ ଗ୍ରାଣ୍ଡ ମାଷ୍ଟର ଆଇ ଏମ ପଦ୍ମିନୀ ରାଉତ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ହସ୍ତାନ୍ତର କରିଥିଲେ।
ଟର୍ଚ୍ଚ ର ପ୍ରଦର୍ଶନ ପରେ ଅତିରିକ୍ତ ଜିଲ୍ଲାପାଳ ଏହି ଟର୍ଚ୍ଚ କୁ ଅନ୍ୟତମ ଆନ୍ତର୍ଜାତୀୟ ଚେସ ଖେଳାଳୀ ଗ୍ରାଣ୍ଡ ମାଷ୍ଟର ସ୍ୱୟ୍ଂସୁ ସତ୍ୟପ୍ରଜ୍ଞ ଙ୍କୁ ହସ୍ତାନ୍ତର କରିଥିଲେ। ପରେ ରିଲେ ଦଳ ବ୍ଲୁ ଫ୍ଲାଗ ବିଚ୍ ପରିଭ୍ରମଣ ସହ ସେଠାରେ ଆୟୋଜିତ ଚେସ କାର୍ଯ୍ୟକ୍ରମ କୁ ଦେଖିଥିଲେ।ପରେପରେ ଏହି ରିଲେ କୋଣାର୍କ ଅଭିମୁଖେ ଗସ୍ତ କରିଥିଲେ। କୋଣାର୍କ ରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ଟର୍ଚ୍ଚ ହସ୍ତାନ୍ତର କରାଯାଇଥିଲା। ପ୍ରଦର୍ଶନ ପରେ ଟର୍ଚ୍ଚ କୁ ଗ୍ରାଣ୍ଡ ମାଷ୍ଟର ଆଇ ଏମ ଅନ୍ୱେଶ ଉପାଧ୍ୟାୟ ଙ୍କୁ ମନ୍ତ୍ରୀ ହସ୍ତାନ୍ତର କରିଥିଲେ। ପରେ ରିଲେ ଭୁବନେଶ୍ୱର ଫେରି ଯାଇଥିଲା। ଏଥିରେ ସର୍ବ ଭାରତୀୟ ଚେସ ଫେଡେରେସନର ଯୁଗ୍ମ ସଂପାଦକ ଶ୍ରୀ ରଞ୍ଜନ ମହାନ୍ତି, ଓଡିଶା ଚେସ ଆସୋସିଏସନ ର ସଂପାଦକ ଶ୍ରୀ ଦେବଦତ୍ତ ଭଟ୍ଟ, ପୁରୀ ଜିଲ୍ଲା ଚେସ ଆସୋସିଏସନ ର ସଂପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର କ୍ରୀଡ଼ା ବିଭାଗର କର୍ମକର୍ତ୍ତା, ଜିଲ୍ଲା ରାଜ୍ୟ ଓ ଦେଶର ଚେସ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଥିଲେ।