-
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ମେଧାବୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି – ବିଷ୍ଣୁସେଠୀ
ଭୁବନେଶ୍ୱର, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲଗାତାର ଭାବେ ଲିକ୍ ହେବା ମାମଲା ଶନିବାର ଦିନ ବିଧାନସଭାରେ ଉଠିଛି । ଏହାକୁ ନେଇ ବିରୋଧୀ ଦଳର ଉପ ନେତା ବିଷ୍ଣୁ ସେଠୀ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଷ୍ଣୁ ସେଠୀ କହିଥିଲେ ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଦିଶାହୀନ ହୋଇ ପଡିଥିବାର ସ୍ପଷ୍ଟ ସୂଚନା ମିଳୁଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ପ୍ରଶ୍ନପତ୍ର ଲଗାତାର ତିନି ଦିନ ଧରି ଲିକ ହେବା ଦ୍ୱାରା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ମାନସିକ ସ୍ଥିତିକୁ ଖରାପ କରି ଦେଇଛି । ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ସ୍ଥିତି ପୂର୍ବରୁ ହିଁ ଖରାପ ଥିଲା । ପଂଚମ ଶ୍ରେଣୀ ପିଲା ମାନେ ପଣିକିଆ ଡାକି ପାରୁ ନାହାନ୍ତି । ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଥିତି ଏହା ଠାରୁ ସାମାନ୍ୟ ଭଲ ଥିଲା । ମାତ୍ର ଲଗାତାର ତିନି ଦିନ ପ୍ରଶ୍ନପତ୍ର ଲିକ ହେବା ଘଟଣା ବାସ୍ତବିକ ସ୍ଥିତିକୁ ଦର୍ଶାଉଛି । ପ୍ରତ୍ୟେକ କଥାରେ ବିଶ୍ୱ ସ୍ତରୀୟ ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ କାମ ହେଉଥିବା କହୁଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେବେ କି ବୋଲି କହି ସେ କଟାକ୍ଷ କରିଥିଲେ ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ହେବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା କାରଣରୁ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।