ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ବ୍ରିଜ ଉପରେ ଜାଗା ଜାଗାରେ ଖାଲଖମା ହୋଇ ମରଣାଯନ୍ତା ପାଲଟି ଯାଇଥିଲା । ଏହି ବ୍ରିଜ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସିମାନ୍ତରେ ରହିଛି । ସେହିପରି ବିଶାଖାପଟନମରୁ ରାଇଗଡକୁ ଏହି ବ୍ରିଜ ଦେଇ ଗଲେ ଦୂରତା କମ ପଡୁ ଥିବାରୁ ତଥା ପଶ୍ଚିମ ଓଡିଶାର ଜଣାଶୁଣା ବ୍ୟବସାୟିକ ପେଣ୍ଠ ସ୍ଥଳ କଣ୍ଟାବାଞ୍ଜିରୁ ଧର୍ମଗଡ ଓ ଭବାନିପାଟଣା ଏବଂ ଟିଟିଲାଗଡରୁ ନୂଆପଡା, ରାଇପୁର ଯିବାକୁ ହେଲେ ଏହି ବ୍ରିଜ ଦେଇ ଗଲେ ଦୂରତା କମ ପଡେ । ୨୦୦୫ ରେ ସରକାର ଉନ୍ଦେର ନଦୀ ବ୍ରିଜ କୁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। କିନ୍ତୁ ବ୍ରିଜ ନିର୍ମାଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇନଥିବା ଅଞ୍ଚଳ ବାସି ଅଭିଯୋଗ କରନ୍ତି । ମରାମତି ପାଇଁ ବାରମ୍ବାର ପୂର୍ତ୍ତ ବିଭାଗ ତଥା ପ୍ରଶାସନକୁ ଅଭିଯୋଗ କରାଯିବା ସତ୍ବେ କେହି କର୍ଣ୍ଣପାତ କରୁ ନ ଥିବାରୁ ଶେଷରେ ସ୍ଥାନୀୟ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଆଜି ଖାଲଖମାର ଗୁଡିକ ମରାମତି କରାଯାଇଛି ।
ଉକ୍ତ ସଂଗଠନର ସଭାପତି ମନୋଜ ବେହେରା, ବଳରାମ ସାହୁ, ମୁନା ସାହୁ, ଜଗଦୀଶ ରାଓ, ବୈକୁଣ୍ଠ ସାହୁ ପ୍ରମୁଖଙ୍କ ସମେତ ମାରୱାଡ଼ି ଯୁବାମଞ୍ଚ ପୂର୍ବତନ ସଭାପତି ବଣ୍ଟି ଜୈନ ପ୍ରମୁଖ ବ୍ରିଜ ଉପରେ ପହଞ୍ଚି ନିଜେ ବାଲି ସିମେଣ୍ଟ ଆଦି ନେଇ ମରାମତି କରିଛନ୍ତି । ବ୍ରିଜ ପାଇଁ ଟୋଲଗେଟରେ ଲକ୍ଷ ଲକ୍ଷ ଟଙ୍କା ଟିକସ ଅସୁଲ କରୁଛନ୍ତି ସରକାର, କିନ୍ତୁ ମରାମତି ପ୍ରତି ଆଦୌ ଦୃଷ୍ଟି ନ ଦେବା ବିଭାଗିୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ସତ୍ୟସାଇ ସଂଗଠନର କର୍ମକର୍ତ୍ତା ମରାମତି କାମ କରିଥିବାରୁ ବିଭିନ୍ନ ମହଲରୁ ଲୋକେ ପ୍ରଶଂସା କରିଛନ୍ତି । ବ୍ରିଜ ଉପରେ ଖାଲ ଗୁଡିକ ବିଭିନ୍ନ ସ୍ଥାନରେ ହୋଇଥିବାରୁ ସେଥିରେ ଆଣ୍ଠୁଏ ପାଣି ଜମା ହୋଇଥିବାରୁ ଦୁଇ ଚକିଆ ଯାନ ଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଥିଲା। ବର୍ତ୍ତମାନ ମରାମତି ହୋଇଥିବାରୁ ଯାତାୟତରେ ସୁବିଧା ହେବ।