ମାଲକାନଗିରି, ମାଲକାନଗିରି ଜିଲ୍ଲାର ମୋଟୁରେ ପଶିଲା ପୋଲାଭରମର ପଛୁଆ ପାଣି । ଜିଲ୍ଲାରେ ଗତ ୫ ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଏପଟେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ବନ୍ୟାଜଳ ନିଷ୍କାସନ ହୋଇପାରୁନଥିବାରୁ ଏବେ ମାଲକାନଗିରି ଜିଲ୍ଲାକୁ ମାଡିଆସୁଛି ବଡ ବିପଦ । ଆଜି ସକାଳୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ର ମୁଗି ପଏଣ୍ଟରେ ୪ ରୁ ୫ ଫୁଟ ପାଣି ବଢିଥିବା ବେଳେ ଆଜି ମୋଟୁ କୁ ବନ୍ୟାଜଳ ପ୍ରବେଶ କରିଛି । ଏପଟେ ସିଲେରୁ ଓ ସାବେରୀ ନଦୀର ତଟ ବର୍ତୀ ଗାଁ ଗୁଡିକରେ ମଧ୍ୟ ପାଣିପାସିଥିବାର ସୂଚନା ମିଳିଛି । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସଜାଗ ଥିବାବେଳେ ବର୍ଷାର ପରିମାଣ ନ କମିଲେ ସମ୍ପୂର୍ଣ୍ଣ ମୋଟୁ ଏବଂ କାଲିମେଳା ଓ ପଡିଆ ବ୍ଲକର ଅଧିକାଂଶ ଗାଁ ଜଳମଗ୍ନ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିମେଳା ବ୍ଳକ ର ନଦୀ କୂଳରେ ଥିବା ମୋଟୁ ଓ ପୁସୁଗୁଡା ପଞ୍ଚାୟତର ୩୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସାବେରୀ ନଦୀ କୂଳରେ ଥିବା ପଡିଆ ବ୍ଲକର ୩ ଟି ଗ୍ରାମରୁ ମୋଟ ୧୧୨ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ପଞ୍ଚାୟତ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ୧୧୨ ଜଣଙ୍କ ମଧ୍ୟରୁ ଗିରକାନପଲ୍ଲୀ ପଞ୍ଚାୟତ ସଦରରୁ ୫୫ ଜଣ, ଉଣ୍ଡରୁକୋଣ୍ଡା ପଞ୍ଚାୟତ ଏମଭି ୫୭ ଗ୍ରାମରୁ ୧୩ ଜଣ ଓ ପଡିଆ ପଞ୍ଚାୟତ ବଜାଗୁଡା ଗ୍ରାମରୁ ୪୪ ଜଣ ଅଛନ୍ତି। ସମସ୍ତଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କ ଭିତରେ ୪୦ ପୁରୁଷ, ୩୬ ଜଣ ମହିଳା ଓ ୨୮ ଜଣ ଛୋଟ ପିଲା ରହିଛନ୍ତି।
ସୂଚନା ଥାଉକି, ଗତକାଲି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ଗତ ରାତି ଠାରୁ ବର୍ଷାର ପରିମାଣ କମିଛି । ଆଜି ଜିଲାପାଳ ଵିଶାଲ ସିଂ ମୋଟୁ ଅଞ୍ଚଳ ଗସ୍ତ କରି ବନ୍ୟା ପରିସ୍ଥିତି ନେଇ ତହସିଲଦାର ଦୂର୍ଗା ପ୍ରସାଦ ଦୋରା ଓ ବିଡ଼ିଓ ଉମାଶଙ୍କର ଦଳେଇଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ମୋଟୁ -ଚିନ୍ତୁର ରାସ୍ତାର ବିଭିନ୍ନ ଛୋଟ ବଡ଼ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆଜି ଚତୁର୍ଥ ଦିନରେ ବି ଛତିଶଗଡ ଓ ଆନ୍ଧ୍ରକୁ ଯୋଗଯୋଗ ବିଛିନ୍ନ ହୋଇ ରହିଛି।