ଗଞ୍ଜାମ, ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ୧୮ ରୁ ୫୯ ବର୍ଷ ବୟସର ମୋଟ୍ ୨୭ ଲକ୍ଷ ୨୨ ହଜାର ୯୦୬ ଜଣ ହିତାଧିକାରୀଙ୍କୁ କରୋନା ଟୀକା ଦିଆଯିବ । ସେମାନଙ୍କ ମଧ୍ୟରୁ ବୁଷ୍ଟର ଡୋଜ୍ ନେବା ପାଇଁ ୨୫ ଲକ୍ଷ ଯୋଗ୍ୟ ହିତାଧିକାରୀ ରହିଥିବା ଜିଲ୍ଲା ସ୍ଵାସ୍ଥ୍ୟ ସମିତି ସୂତ୍ରରୁ ଜଣାପଡିଛି । ସେହିପରି ବ୍ରହ୍ମପୁର ମହାନଗର ନିଗମରେ ନିର୍ଦ୍ଧାରିତ ବୟସ ଅନୁସାରେ ୩ ଲକ୍ଷ ୭୦ ହଜାର ୧୧୬ ଜଣଙ୍କୁ ବୁଷ୍ଟର ଡୋଜ୍ ଦିଆଯବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କ ମଧ୍ୟରୁ ବୁଷ୍ଟର ଡୋଜ୍ ନେବା ପାଇଁ ୩ ଲକ୍ଷ ୩୦ ହଜାର ଯୋଗ୍ୟ ହିତାଧିକାରୀ ବୋଲି ନଗର ସ୍ଵାସ୍ଥ୍ୟ ସମିତି ସୂତ୍ରରୁ ଜଣାପଡିଛି । ଏନେଇ ଜିଲ୍ଲାରେ ୨୨ଟି ବ୍ଲକ ସମେତ ତିନୋଟି ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର ଭଞ୍ଜନଗର, ଆସିକା ଏବଂ ଛତ୍ରପୁରରେ ବୁଷ୍ଟର ଡୋଜ୍ ଦିଆଯିବ। ଟୀକାଦାନ କେନ୍ଦ୍ରରେ ଏଏନଏମ ଓ ଡାଟା ଏଂଟ୍ରି ଅପରେଟର ନିୟୋଜିତ କରାଯାଇଛି ବୋଲି ବିଏମଆରସିଏଚ ଶକ୍ତି କୁମାର ଦିଗାଲ ସୂଚନା ଦେଇଛନ୍ତି । ଆଜି ଠାରୁ ବୈକୁଣ୍ଠ ନଗର ସହରାଚଂଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବୁଷ୍ଟର ଡୋଜ୍ ଟୀକା ପ୍ରଦାନର ଶୁଭାରମ୍ଭ ହୋଇଛି । ଟୀକା ପାଇବା ପାଇଁ ସକାଳ ୯ଟା ପରେ ଅନ୍ ଲାଇନ୍ ରେ ସ୍ଲଟ୍ ବୁକିଂ କରିବା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପ୍ରଥମ ଦିନରେ ୧୩୦୦ ଜଣଙ୍କୁ କୋଭାକ୍ସିନ ବୁଷ୍ଟର ଓ ୧୩୦୦ ଜଣଙ୍କୁ କୋଭିସିଲ୍ଡ ବୁଷ୍ଟର ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ବିଇଏମସି ପକ୍ଷରୁ ସୂଚନା ଦିଆଯାଇଛି ।