କନ୍ଧମାଳ, ଫୁଲବାଣୀ ରେ ଗୁରୁବାର ଅପରାହ୍ନରେ ପରିବାର ସହିତ ମଧ୍ଯାହ୍ନରେ ଭୋଜନ କରୁଥିବା ବେଳେ ଘରର କାନ୍ଥ ପଡି ମା ଓ ଝିଅଙ୍କ ମୃତ୍ୟୁ ଘଟଣା ଫୁଲବାଣୀ ସହର ବାସୀଙ୍କୁ ଦୋହଲାଇ ଦେଇଥିବା ବେଳେ ଆଜି ଏକା ସାଙ୍ଗରେ ଉଭୟ ମା ଓ ଝିଅଙ୍କ ଶବ ସତ୍କାର କରାଯାଇଛି। ଗୋଟିଏ ଯୂଇରେ ଜଳିଲା ମା ଓ ଝିଅଙ୍କ ମରଶରୀର। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ।
ଗତକାଲି ଅପରାହ୍ନରେ ଫୁଲବାଣୀ ତ୍ରିଦେବ ନଗରରେ ରହୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘରର କାନ୍ଥ ପଡିଯିବାରୁ ପରିବାରର ୪ ଜଣ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନୀଟି ସଦସ୍ୟ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ପହଂଚାଇଥିଲେ। କିନ୍ତୁ ଦୁଃଖର କଥା ମେଡିକାଲରେ ପହଁଚିବା ପରେ ମା ସୁରଥୀ ମାଝୀ ଓ ୫ ବର୍ଷର ଶିଶୁକନ୍ୟା ସ୍ମିତାରାଣୀ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ରାତି ହୋଇଯାଇଥିବାରୁ ଉଭୟଙ୍କ ଶବ ସତ୍କାର ହୋଇ ପାରିନଥିଲା। ଆଜି ସଖାଳୁ ଉଭୟଙ୍କ ମରଶରୀର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ହିନ୍ଦୁ ରୀତିନୀତି ଅନୁସାରେ ଶବ ସତ୍କାର କରିଛନ୍ତି।