କନ୍ଧମାଳ, ସରକାର ଛାତ୍ର ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ କୋଟିକୋଟି ଟଙ୍କା ବ୍ୟୟ ରେ ସ୍ମାର୍ଟ ସ୍କୁଲ କରିଛନ୍ତି। ତେଵେ ଏସବୁ କାର୍ଯ୍ୟର ମାନ ଠିକ ନଥିବା, ଉଦଘାଟନର ମାସ ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିବା ଯୋଗୁଁ ଛାତ୍ରୀ ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଯନ୍ତ୍ରୀ କି ଠିକାଦାର ଶୁଣୁନାହାନ୍ତି। ଫଳରେ ଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଅବସ୍ଥା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ ଥିବା ସରକାରୀ ବାଳିକା ହାଇସ୍କୁଲରେ।
ଯନ୍ତ୍ରୀ ଓ ଠିକାଦାର ମିଶି ହରିଲୁଟ କରୁଥିବା ଅଭିଯୋଗ ହେଉଛି। ବର୍ଷା ହେଲେ ସ୍କୁଲର କେତେଗୁଡିଏ ଶ୍ରେଣୀ ଗୃହର ଛାତରୁ ପାଣି ଗଳୁଛି। ସମ୍ମୁଖରେ ନିର୍ମାଣ କରାଯାଉଥିବା ଡ୍ରେନ ଓ କାଓ କ୍ଯାଚର ନିର୍ମାଣ ମାସ ମାସ ଧରି ଚାଲିଛି ଯେ ସରିବାକୁ ନାହିଁ। ଫଳରେ ଛାତ୍ରୀ ମାନେ ସାଇକେଲ ସ୍କୁଲ ଭିତରକୁ ନେଇପାରୁନାହାନ୍ତି। ରାସ୍ତାରେ ଶହଶହ ସାଇକେଲ ରହୁଛି। ଫଳରେ ବର୍ଷାରେ ନଷ୍ଟ ହେବାସହ ଚୋରି ମଧ୍ୟ ହେବାର ଆଶଙ୍କା ରହିଛି। ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଛାତ୍ରୀମାନେ ।
ସେହିପରି ଠିକାଦାର ଗୋଡ଼ି, ବାଲି, ପୁରୁଣାନଷ୍ଟ ହୋଇଥିବା ଡ୍ରେନ କଭର, ଡ୍ରେନରୁ ବାହାରିଥିବା ପଥର ସବୁ ରାସ୍ତାରେ ପକାଇ ରଖିଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ଆହତ ହେଲେଣି ତଥାପି ଠିକାଦାର ଓ ପୂର୍ତ ବିଭାଗ ଯନ୍ତ୍ରୀଙ୍କ ଚେତା ପଶୁନି । ଯଦି ସହରରେ ଏହି ଅବସ୍ଥା ଗାଁ ରେ କରାଯାଇଥିବା ସ୍ମାର୍ଟ ସ୍କୁଲ ଅବସ୍ଥା କଣ ଥିବ ଭାତ ହାଣ୍ଡିରୁ ଗୋଟିଏ ଭାତ ଭଳି ସ୍ପଷ୍ଟ ଜଣାପଡୁଛି ।ପୂର୍ତବିଭାଗ ଏସଇ, ମୁନିସିପାଲିଟି ଅଫିସର, ଜିଲ୍ଲାପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବୀ ହେଉଛି।