-
ଚାଲି ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ
ଭୁବନେଶ୍ୱର, ଏନଡିଏର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଂଗ୍ରେସର ମୁଖପାତ୍ର ଅଜୟ କୁମାର ଦେଇଥିବା ବିବାଦୀୟ ବକ୍ତବ୍ୟକୁ ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏହି କାରଣରୁ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗୁରୁବାର ଦିନ ପ୍ରଶ୍ନକାଳ କାର୍ଯ୍ୟକ୍ରମ ସକାଳ ୧୦.୩୦ରେ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ବାଚସ୍ପତି ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲିକଙ୍କୁ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ମାତ୍ର ବିଜେପି ବିଧାୟକ ମାନେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାପ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ କହିଥିଲେ ଯେ ଶୂନ୍ୟକାଳରେ ସେମାନେ ଯାହା କହିବାକୁ ଚାହୁଁଛନ୍ତି ତାହା କହି ପାରନ୍ତି । ଏବେ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଚଳାଇବାକୁ ସେମାନେ ସହଯୋଗ କରନ୍ତୁ । ହେଲେ ବାଚସ୍ପତିଙ୍କ ଏହି ଅନୁରୋଧର କୌଣସି ପ୍ରଭାବ ପଡି ନ ଥିଲା । ସେମାନେ ଗୃହର ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ହଟ୍ଟଗୋଳ ଜାରୀ ରଖିଥିଲେ । ସେହିପରି କଂଗ୍ରେସ ବିଧାୟକ ମାନେ ମଧ୍ୟ ଏହାର ପ୍ରତିବାଦରେ ଗୃହର ମଧ୍ୟଭାଗକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ ପଟେ ମନ୍ତ୍ରୀ ଦେଉଥିବା ଉତର ମଧ୍ୟ ହଟ୍ଟଗୋଳ କାରଣରୁ ଶୁଣା ଯାଉ ନ ଥିଲେ । ଏହା ପରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଦିନ ୧୦.୩୫ରେ ଗୃହ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।