-
ଅଜୟ କୁମାରଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାଇଁ ଦାବି କଲେ ବିଜେପି ବିଧାଯକ
-
କଂଗ୍ରେସ ମୁଖପତ୍ର ଦେଇଥିବା ବକ୍ତବ୍ୟରେ କିଛି ଆପତିଜନକ କଥା ନାହିଁ – ନରସିଂହ
-
ଗୃହରେ ହଟ୍ଟଗୋଳ କାରଣରୁ ଦିନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ଦେଖା ଦେଇଥିଲା । ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହି କାରଣରୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।
୧୧.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ୍ ଆଜି ଗୁରୁତ୍ୱପୂର୍ଣ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାରୁ ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହା ପରେ ସେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବାକୁ ଡାକିଥିଲେ ।
ବିଜେପି ବିଧାୟକ ମୋହନ ମାଝୀ କହି ଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଯେଭଳି ଭାବେ ଅଶାଳୀନ ଓ ଘୃଣ୍ୟ ମନ୍ତବ୍ୟ ଦିଆଯାଇଛି ତାହାକୁ ସେ ନିନ୍ଦା କରୁଛନ୍ତି । ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାରଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲରେ ଦର୍ଶାଯାଇଥିଲା । କିନ୍ତୁ ସେ ସେହି ବିଲ ଫେରାଇ ଦେଇଥିଲେ । ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ସେ ଦାବି କରିଛନ୍ତି ।
ଅନ୍ୟ ପକ୍ଷରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିରୋଧରେ ଆଲୋଚନା କରିବା ଠିକ ନୁହେଁ ।
ସେ କହିଛନ୍ତି ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କିନ୍ତୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । କଂଗ୍ରେସ ପ୍ରବକ୍ତା ଅଜୟ କୁମାର ଯାହା କହିଛନ୍ତି ସେଥିରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନାହିଁ । ଏହା ଭିତରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ତେଣୁ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।