ବଲାଙ୍ଗିର, ବହୁଚର୍ଚ୍ଚିତ ଧୁମାମରା ଜମି ଦୁର୍ନୀତି ମାମଲାରେ ବଲାଙ୍ଗିର ସଦର ପୋଲିସ ଷଷ୍ଠ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କେସ୍ ନଂ.୨୪୯/୨୨, ଦଫା ୪୬୮/୪୭୧/୪୨୦ /୧୨୦(ବି)/୩୪ ଆଇପିଏସ୍ ଆଧାରରେ ପୂର୍ବରୁ ଏକାଧିକ ଥର ଜମି ଦୁର୍ନୀତି ମାମଲାରେ ଜେଲ୍ ଯାଇଥିବା ଲର୍କିପାଲିର ଅଭିଯୁକ୍ତ ଟିମନ୍ ଓରଫ୍ ଶ୍ରୀକାନ୍ତ କୁମ୍ଭାରଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ, ଜଣେ ମୃତକଙ୍କ ଜମି ହଡ଼ପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି । ଏହି ମାମଲାରେ ସଂପୃକ୍ତ ନକଲି ଜମି ବିକ୍ରେତା, ଜମି ମାଫିଆ, ଜମି କିଣାର ଜଣେ ସାକ୍ଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିସ ଗିରଫ କରିଥିବା ବେଳେ ତହସିଲ୍ କାର୍ଯ୍ୟାଳୟର ରେକର୍ଡ କିପର୍ ଓ ତତ୍କାଳୀନ ସବ୍ରେଜିଷ୍ଟାର୍ ଅଫିସ୍ ର ଜଣେ କିରାଣୀଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ତେବେ ଏହି ମାମଲାରେ ସଂପୃକ୍ତ ଥିବା ଦର୍ଶାଇ ଆଜି ଅଭିଯୁକ୍ତ ଟିମନକୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି । ଏହି ଘଟଣାରେ ୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତହସିଲଦାର୍ ମଘବାନ ବାଗ ଏପର୍ଯ୍ୟନ୍ତ ଗିରଫ ହୋଇନଥିବା ଯୋଗୁଁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ପୋଲିସ ତହସିଲଦାରଙ୍କୁ ତଦନ୍ତ ପରିସରକୁ ନେଇ ତାଙ୍କୁ ଜେରା କରିନଥିବା ଯୋଗୁଁ ତାଙ୍କର ଚେର ସୁଦୂର ପ୍ରସାରୀ ଥିବା ଆଲୋଚନା ହେଉଛି।