ଭୁବନେଶ୍ୱର, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି । ଓଡ଼ିଶା ବନ୍ଦ ସମର୍ଥନ ପାଇଁ ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି ନିବେଦନ କରିଛନ୍ତି । ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ । ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ୧୪ ଓ ୧୫ତାରିଖରେ କଲେଜ କଲେଜ ବୁଲି ଛାତ୍ରଛାତ୍ରୀମାନେ ସାମିଲ ପାଇଁ ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ଅନୁରୋଧ କରିବେ । ସେହିପରି ସଂଗଠନ ଆଗାମୀ ୧୭ ତାରିଖ ଦିନ ପୁଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ । ଏହି ଧାରଣାରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ପାଇଁ ସଂଗଠନର ଆବାହକ ଅକ୍ଷୟ କୁମାର ନିବେଦନ କରିଛନ୍ତି । ଆଗାମୀ ୧୯ ତାରିଖରେ ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି ।
ସୂଚନା ଯୋଗ୍ୟ ଯେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଦୁଇ ଦିନ ପୂର୍ବରୁ ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଆଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା । ଏହାପରେ ସେ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ତେବେ ଗତକାଲି ପ୍ରେସମିଟ୍ କରି ଭୁବନେଶ୍ୱର ଡିସିପି କହିଥିଲେ, ରୁଚିକାଙ୍କୁ ରାଗିଂ ନେଇ କିଛି ବି ସୁରାକ ମିଳିନି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ଛାତ୍ରୀ ସ୍ୱୀକାର କରିନାହାନ୍ତି । ତଥାପି ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।