-
ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର, ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ଅଂଚଳରେ ଏସଡିପିଓଙ୍କ ଦ୍ୱାରା ମଧ୍ୟ ରାତ୍ରୀରେ ଗାଁରେ ପ୍ରବେଶ କରି ମହିଳାଙ୍କୁ ମାଡ ମାରିବା ଓ ଦୁର୍ବ୍ୟବହାର ପ୍ରସଙ୍ଗରେ ଆଜି ଗୃହ ହୁଲସ୍ତୁଲ ହୋଇଛି । କଂଗ୍ରେସ ବିଧାୟକ ମାନେ ଏହି ପ୍ରସଙ୍ଗରେ ଉଚିତ ଜାଂଚ କରିବା ଓ ଏସଡିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରା ଯିବା ପରେ ବିଜେପି ବିଧାୟକ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଉଭୟ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି୍ କରି ହଟ୍ଟଗୋଳ କରିବା ପରେ ବାଚସ୍ପତି ଗୃହକୁ ମୁଲତବୀ ରଖିବା ଦେଖିବାକୁ ମିଳିଥିଲା । ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଗତ ଜୁନ ମାସ ୫ ତାରିଖ ଦିନ ରାତ୍ରୀ ଦୁଇଟାରେ ମାଲାକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳରେ ଏସଡିପିଓ ବିନା କୌଣସି ମହିଳା ପୋଲିସରେ ଗାଁରେ ପଶି ଚାରି ଜଣ ମହିଳାଙ୍କୁ ମାଡ ମାରିଥିଲେ । ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ଜଣେ ନାବାଳିକା ଝିଅ ମଧ୍ୟ ରହିଛନ୍ତି । ଏମାନଙ୍କୁ ନିସ୍ତୁକ ମାଡ ମାରିବା କାରଣରୁ ସେମାନଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଛି । ଶ୍ରୀ ବାହିନୀପତି ଏହାର ଫଟୋ ମଧ୍ୟ ଗୃହରେ ଦେଖାଇଥିଲେ । ବିନା କୌଣସି ସର୍ଚ ବାରେଂଟରେ ମଧ୍ୟ ରାତ୍ରୀରେ ବିନା ମହିଳା ପୋଲିସକର୍ମୀରେ କାହା ଘରେ ପଶି ମହିଳା ମାନଙ୍କୁ ମାଡ ମାରିବା କଣ ନବୀନ ସରକାରଙ୍କ ମା ଙ୍କୁ ସମ୍ମାନର ଉଦାହରଣ ବୋଲି ସେ ପ୍ରଶ୍ନ କରିଥିଲେ ।
ସେ କହିଥିଲେ ଯେ ଏହି ପ୍ରସଙ୍ଗରେ ସ୍ଥାନୀୟ ଲୋକ ମାନେ ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ଏସଡିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସତ୍ୱେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିାଁ ଏ ସମ୍ପର୍କରେ ସେ ପୋଲିସର ଉଚ୍ଚ ଅଧିକାରୀ ମାନଙ୍କ ସହ କଥାବାର୍ତାର କୌଣସି ଫଳ ମିଳି ନାହିାଁ ସେ କହିଛନ୍ତି ଯେ ସିଡିଏମଓଙ୍କ ଉପରେ ଚାପ ପ୍ରୟୋଗ କରି ମହିଳା ମାନଙ୍କ ସହ ହୋଇଥିବା ମାଡର ଭୁଲ ମେଡିକାଲ ରିପୋର୍ଟପ୍ରଦାନ କରା ଯାଇଛି । ସେ ଓ କଂଗ୍ରେସ ଦଳର ଅନ୍ୟ ତିନି ଜଣ ବିଧାୟକ ଉକ୍ତ ଗାଁକୁ ଯାଇ ପୀଡିତା ମାନଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ପୋଲିସକୁ ବିରୋଧ କରିଥିବାରୁ ଗାଁର ଲୋକ ମାନଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ମାନ ରୁଜୁ କରା ଯାଇ ସେମାନଙ୍କ ୁଜେଲ ପଠାଇ ଦିଆ ଯାଉଛି । ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ଜାଂଚ କରିବା ଓ ସଂପୃକ୍ତ ଏସଡିପିଓ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଥିଲେ । ଏହା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ମଧ୍ୟ ଏହି ମାମଲାର ଜାଂଚ ପାଇଁ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଘଟଣାର ଗୃହ କମିଟି ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ବିଜେପି ଦଳର ବିଧାୟକ ମଧ୍ୟ ଏହି ମାମଲାରେ କଂଗ୍ରେସ ବିଧାୟକଙ୍କ ଦାବିକୁ ସମର୍ଥନ କରିଥିଲେ । ସେମାନେ ବାଚସ୍ପତିଙ୍କ ଏ ସମ୍ପର୍କରେ ରୁଲିଂ ଦେବାକୁ ଦାବି କରିଥିଲେ । ସେମାନେ ଏହି ଦାବିରେ ହଟ୍ଟଗୋଳ କରିବାକୁ ବାଚସ୍ପତି ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।