ବଲାଙ୍ଗିର, ସ୍ଥାନୀୟ କୋଶଳି ଭାଷା ସୁରକ୍ଷା ସମିତି ଟିଟିଲାଗଡ ପକ୍ଷରୁ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଏକ ସ୍ମାରକପତ୍ର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଦାନ କରାଯାଇଛି । ସମିତି ଟ୍ରଷ୍ଟର ଫାଉଣ୍ଡର ସଦସ୍ୟ ତଥା ପୂର୍ବତନ ସଭାପତି ଭିକାରୀ ଚରଣ ମିଶ୍ର, ବରିଷ୍ଠ ଉପଦେଷ୍ଟା ସେବକ ଚରଣ ଦାଶ ଓ ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ନେତୃତ୍ଵରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । କହିବା ବାହୁଲ୍ୟ, କୋଶଳି ହେଉଛି ପଶ୍ଚିମ ଓଡିଶାର ତେରଟି ଜିଲ୍ଲାରେ ବ୍ୟବହୃତ ହେଉଥିବା କଥିତ ତଥା ଲିଖିତ ଭାଷା । ଏ ଅଂଚଳର ଶିଶୁଟିଏ ତା ମାଆ ପାଖରୁ ଏହି ଭାଷା ଶିଖି ନିଜ ଅଂଚଳରେ ଆଜୀବନ ବ୍ୟବହାର କରିଥାଏ । ଓଡିଆ ଭାଷା ପଢିବା ପାଇଁ ଓ ବୁଝିବା ପାଇଁ ତାକୁ କଷ୍ଟ ହୁଏ, ଫଳରେ ପ୍ରାଥମିକ ସ୍ତର ଦୁର୍ବଳ ହୋଇପଡେ । ପଶ୍ଚିମ ଓଡିଶାର ତେରଟି ଜିଲ୍ଲାର ପ୍ରାୟ ଦୁଇକୋଟି ଲୋକ କୋଶଳି ଭାଷାକୁ ଶହଶହ ବର୍ଷ ଧରି ବ୍ୟବହାର କରି ଆସୁଥିବାରୁ ଏହାର ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ବିକାଶ ପାଇଁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରାଯିବା ଅନିର୍ବାର୍ୟ୍ୟ ହୋଇ ପଡିଛି । ଉଲ୍ଲେଖଯୋଗ୍ୟ, ମାନ୍ୟବର ସାଂସଦ ଏହାର ଗୁରୁତ୍ଵକୁ ଉପଲବ୍ଧି କରିବା ସହ ପାର୍ଲାମେଣ୍ଟରେ ପ୍ରଶ୍ନ ଉତ୍ଥାପନ କରି ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ ।
Related Stories
November 23, 2024
November 23, 2024
November 23, 2024