କନ୍ଧମାଳ, କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଗତ ୧୦ ତାରିଖରେ ଚାଇଲଡ ଲାଇନ ଉଦ୍ଧାର କରିଥିବା ନାବାଳକକୁ ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ସମିତି ଯାଞ୍ଚ କରିବାପରେ ତାର ବାପାଙ୍କୁ ହସ୍ତାନ୍ତର କରିଛି। ତାଙ୍କ ଘର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ତାଯୁଙ୍ଗିଆ ପଂଚାୟତ ସିକବାଡି ନିକଟ ଡ଼ୁବୁରୀ ଗ୍ରାମରେ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ କହିଛନ୍ତି।
ଗଣମାଧ୍ୟମରେ ନାବାଳକ ଉଦ୍ଧାର ଖବର ପ୍ରକାଶ ପାଇବା ପରେ ଖବର ପାଇ ନାବାଳକର ବାପା ନିର ପାଟମାଝୀ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ସରକାରୀ ପ୍ରକ୍ରିୟା ଅନୁଯାୟୀ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷ ଅଶୋକ ବେହେରା, ଚାଇଲଡ଼ ଲାଇନ ସଦସ୍ୟଙ୍କ ଉପସ୍ଥିତିରେ ନାବାଳକକୁ ତାର ବାପା ନିର ପାଟମାଝିଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଅ ବାପାଙ୍କୁ ଦେଖି ଖୁସି ହୋଇଯାଇଥିବା ବେଳେ ବାପା ବି ହଜିଲା ପୁଅକୁ ପାଇ ଖୁସିରେ ବିଭୋର ହୋଇଉଠିଥିଲେ। ବାପା ଓ ପୁଅର ମିଳନ ସମସ୍ତଙ୍କ ମନରେ ଖୁସି ଆଣିଦେଇଥିଲା। ଏହି ନାବାଳକ ମା ଛେଉଣ୍ଡ ସାଙ୍ଗକୁ କଥା ମଧ୍ୟ କହିପାରୁନି। ଏଣୁ,ଅବହେଳା ନକରି ତାର ସମସ୍ତ ଦାୟୀତ୍ଵ ଠିକ ଭାବେ ବୁଝିବା ଲାଗି ବାପା ନିର ପାଟମାଝିଙ୍କୁ ଡିସିପିଓ ଓ କମିଶନ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ନାବାଳକ ଜଣକ ଗତ ଦଶ ତାରିଖରେ କ. ନୂଆଗାଁ ଅଂଚଳରେ ଏକାକୀ ବୁଲୁଥିଵା ନେଇ ସମ୍ପୃକ୍ତ ଅଞ୍ଚଳରୁ କୌଣସି ସହୃଦୟ ଵ୍ୟକ୍ତି ୧୦୯୮ କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମ ର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକ ତତକ୍ଷଣାତ କ. ନୂଆଗାଁ ଯାଇ ନାବାଳକକୁ ଉଦ୍ଧାର କରିଵା ପରେ ତାକୁ ଶିଶୁ ମଂଗଳ କମିଟି ରେ ହାଜର କରିଥିଲେ। ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତ କେନ୍ଦୁପଦର, ଗୋପବନ୍ଧୁ ବାଳାଶ୍ରମରେ ଥଇଥାନ କରାଯାଇଥିଲା।