ମାଲକାନଗିରି, ଶୁଣିଲାନି ପ୍ରଶାସନ । ନିଜ ଗ୍ରାମର ଅଧପନ୍ତରିଆ ରାସ୍ତାକୁ ନିର୍ମାଣ କଲେ ଗ୍ରାମବାସୀ । ଏପରି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି – ୩ ପଞ୍ଚାୟତର ନୂଆଗୁଡା – ବି ଗ୍ରାମରେ ଦେଖିବାକୁ ମିଳିଛି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜିକୁ ଦୀର୍ଘ ୨୦ ବର୍ଷ ତଳେ ବାଲିମେଳା ସହରର ପ୍ରଭାକର ଛକ ଠାରୁ ନୂଆଗୁଡା – ବି କୁ ସଂଯୋଗ କରୁଥିବା ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତାରେ ପରିଣତ ହୋଇଛି । ଏ ନେଇ ଗ୍ରାମବାସୀ ନିଜ ୱାର୍ଡସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଏବଂ ବ୍ଲକ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତେବେ ଏହି ଗ୍ରାମର ୫୦ ପରିବାର ନିଜ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ବାଲିମେଳା ସହରକୁ ଆସିଥାନ୍ତି । ଗ୍ରାମର ପିଲାମାନେ ମଧ୍ୟ ସ୍କୁଲ କଲେଜ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତଥାପି ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ରାସ୍ତା, ତେଣୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଟ୍ରାକ୍ଟର ଯୋଗେ ମେଟାଲ ଆଣିବା ସହ ମୋରମ, ମାଟି ପକାଇ ନିଜେ ଶ୍ରମିକ ସାଜି ଗାଁ ରାସ୍ତା ନିର୍ମାଣ କରିଛନ୍ତି ।
ସୂଚନାଥାଉ କି, ବହୁ ଅଭିଯୋଗ ସତ୍ତ୍ବେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀ ସାମୂହିକ ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।