ମାଲକାନଗିରି,ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପ୍ରବଳ ବର୍ଷା ଜାରି ରହିଛି । ଏଠାରେ ଲଗାଣ ବର୍ଷାରେ ମୋଟୁ- ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି । ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଚିନ୍ତୁର ଠାରୁ ଭଦ୍ରାଞ୍ଚଳମ ଯାଇଥିବା ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି । ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି । ଉଭୟ ପଟେ ବହୁ ଦୂରଗାମୀ ବସ ଓ ଟ୍ରକ ଅଟକି ରହିଛି ।ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲୁ ଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଦ୍ବିତୀୟ ବିପଦ ସଙ୍କେତ ଉପରେ ରହିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଏଣେ ଗତ ତିନିଦିନ ହେଲା ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ବଣ୍ଡାଘାଟିରେ କଚ୍ଚା ରାସ୍ତାଗୁଡିକ ଖରାପ ହେବା ଯୋଗୁଁ ଯିବା ଆସିବା ସମ୍ଭବପର ହୋଇ ପାରୁନଥିବା ଜଣାପଡିଛି । ତେବେ ବିଶେଷ କ୍ଷତି ହୋଇଛି ଅଣ୍ଡାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜ । ଏହି ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଆଉ ଲୋକେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି । ପ୍ରତି ସପ୍ତାହରେ ବଣ୍ଡାଘାଟିରେ ଶହଶହ ମହିଳା ପୁରୁଷ ସାପ୍ତାହିକ ହାଟ ସହ ବିଭିନ୍ନ ଅତ୍ୟାବଶକୀୟ ଜିନିଷ କିଣିବାକୁ ଅନକାଡେଲିକୁ ଯାଇଥାନ୍ତି।
Related Stories
November 24, 2024
November 24, 2024