ମାଲକାନଗିରି, ଚଳିତ ମାସ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥିପାଇଁ ସଂଗଠନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଏ ନେଇ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ପୋଷ୍ଟର ଜରିଆରେ ସାଧାରଣ ଲୋକଙ୍କ ସହଯୋଗ କାମନା କରାଯାଇଛି । ବିଶେଷ କରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଭିନ୍ନ ଗାଁଗୁଡିକରେ ସହିଦ ସପ୍ତାହ ପାଳନ ନେଇ ମାଓ ସଂଗଠନ ପକ୍ଷରୁ ପୋଷ୍ଟରଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ସପ୍ତାହ ପାଳନ ଅବସରରେ ମାଓବାଦୀମାନେ ମୃତ ସାଥୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଭିନ୍ନ ସ୍ଥାନରେ ନାଚଗୀତ ଆସର କରି ଲୋକଙ୍କ ସମର୍ଥନ ହାସଲ କରିଥାନ୍ତି ।
ଅନ୍ୟପକ୍ଷରେ, ସପ୍ତାହ ପାଳନ ବେଳେ ଛୋଟମୋଟ ଅଘଟଣ ମଧ୍ୟ ଘଟିଥାଏ । ଯାହାକୁ ନେଇ ଜିଲ୍ଲା ପୁଲିସ ଏବଂ ଛତିଶଗଡ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସୀମା ସିଲ୍ ସହ ନକ୍ସଲଙ୍କ ଗତିଵିଧି ଉପରେ ଶକ୍ତ ନଜର ରଖାଯାଉଛି । ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଓବାଦୀ ମାନେ ସପ୍ତାହବ୍ୟାପୀ ବିଭିନ୍ନ ସ୍ଥାନରେ ସହିଦ ସ୍ତମ୍ଭ ନିର୍ମାଣ କରି ତା ପାଖରେ ସଭା ସମିତି, ଗୀତ ନାଚ ଜରିଆରେ ପୋଲିସ ଗୁଳିରେ ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସଂଗଠନକୁ ମଜବୁତ କରିବାକୁ ଲୋକଙ୍କୁ ଆହ୍ବାନ ଦେଇଥାନ୍ତି । ଏହି ସପ୍ତାହ ପାଳନ ସମୟରେ ମାଓବାଦୀଙ୍କ କୌଣସି ହିଂସାକୁ ପ୍ରତିହତ କରିବାକୁ ପୁଲିସକୁ ହାଇ ଆଲର୍ଟ କରାଯାଇଛି ।