ପୁରୀ,ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ପ୍ରତି ରଥ ଉପରେ ପିତଳ ହଣ୍ଡାରେ ପାଣିଆ ଆପଟ୍ଟ ମାନେ ସିଂହଦ୍ଵାରରେ ଥିବା ଛାଉଣି ମଠ ସମ୍ମୁଖ କୂଅରୁ ପାଣି ଆଣି ହଣ୍ଡାରେ ଭର୍ତି କରିବେ । ସେଥିରେ କ୍ଷୀର, ସର, ଚିନି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଅଳେଇଚ ଗୁଣ୍ଡ, କର୍ପୁର ଓ ଜାଇଫଳ ମିଶ୍ରଣ କରି ପଣା ପ୍ରସ୍ତୁତ କରିବେ । ସେହି ପଣାକୁ ପ୍ରତି ରଥରେ ରଖାଯାଇଥିବା ତିନୋଟି ଲେଖାଏଁ ଅଧର ଚୁମ୍ବି ତୁମ୍ବାକୃତି ମାଟି ପାତ୍ରରେ ରଖାଯିବ । ପୂଜାପଣ୍ଡା ସେବକ ଷୋଡ଼ଶ ଉପଚାରରେ ମନ୍ତ୍ର ଉଚ୍ଚାରଣ କରି ଶ୍ରୀଜୀଉଙ୍କୁ ପଣା ଭୋଗ ଅର୍ପଣ କରିବେ । ଭୋଗ ପରେ ରଥରେ ଥିବା ପାର୍ଶ୍ଵ ଦେବାଦେବୀ, ଅଶରୀର, ଭୂତ, ପ୍ରେତ, ପିଶାଚ ମାନଙ୍କ ପାଇଁ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ଏହି ନୀତି ଅପରାହ୍ନ ୪ ଟା ପରେ ଆରମ୍ଭ ହେବ । ରାଘବ ଦାସ ମଠ, ବଡ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ଏହି ପଣା ପ୍ରସ୍ତୁତି କରାଯିବ ।