ପୁରୀ, ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଗତକାଲି ରାତିରେ ରଥାରୁଢ଼ ଶ୍ରୀଜୀଉମାନଙ୍କ ସୁନାବେଶ ଓଲାଗି ପରେ ହରିଶୟନ ନୀତି ଆରମ୍ଭ ହୋଇଥିଲା । ରଥ ଉପରେ ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ଭଣ୍ଡାର ଘରୁ ଭଣ୍ଡାର ମେକାପ ସୁନାର ଶୟନ ଠାକୁର ତିନି ମୂର୍ତି ଆଣି ମହାଜନ ସେବକଙ୍କୁ ପ୍ରଦାନ କରିଥିଲେ । ହରିଶୟନ ଠାକୁରଙ୍କୁ ମହାଜନ ସେବକ ମାନେ ହାତରେ ଧରି ରଥ ଉପରକୁ ଆଣିଥିଲେ । ତିନି ଜଣ ପୁଜାପଣ୍ଡା ସେବକ ଶୟନ ଠାକୁରଙ୍କୁ ରଥ ଉପରକୁ ବିଜେ କରିଥିଲେ । ଶ୍ରୀବଳଭଦ୍ରଙ୍କ ରଥରେ ବାସୁଦେବ, ମାଆ ସୁଭଦ୍ରାଙ୍କ ରଥରେ ଭୁବନେଶ୍ଵରୀ, ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀ ନାରାୟଣ ଶୟନ ଠାକୁରଙ୍କୁ ଶ୍ରୀଅଙ୍ଗକୁ ଲାଗି କରିଥିଲେ । ଏହା ପରେ ମହାସ୍ନାନ ନୀତି ହୋଇଥିଲା । ଆଜି ଦ୍ଵାଦଶୀ ତିଥିରେ ରଥ ଉପରେ ଗରୁଡ ଶୟନ ନୀତି ଅନୁଷ୍ଠିତ ହେବ ।