ମାଲକାନଗିରି, ଯେଉଁ ବୟସରେ ହାତରେ ବହି ବସ୍ତାନୀ ଧରି ସ୍କୁଲ ଯିବା କଥା ସେହି ବୟସରେ ସେ ଏବେ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଛି । ଏ କାହାଣୀ ହେଉଛି ଜଣେ କର୍କଟ ରୋଗରେ ପୀଡ଼ିତ ୬ଷ୍ଠ ଶ୍ରେଣୀର ଛାତ୍ର ବାପୁନ ଖରାର। କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି – ୯୦ ଗ୍ରାମରେ ବାପୁନ ଖରାର ଘର। ବାପା ଟୁନିଆ ଖରା ୬ ବର୍ଷ ହେଲା ଆରପାରିକୁ ଚାଲିଯାଇଥିବା ବେଳେ ମା ସୁବାସିନୀ ଖରା ଏବେ ମୂଲ ମଜୁରୀ ଲାଗି ନିଜର ଦୁଇଟି ପୁଅ ଓ ଗୋଟିଏ ଝିଅକୁ ବଡ଼ କଷ୍ଟରେ ଚଳାଉଛନ୍ତି । ବାପୁନ ଏମଭି – ୯୦ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଏବେ ପାଠ ପଢୁଛି । ତେବେ ସାନ ପୁଅ ବାପୁନର ମଝିରେ ମଝିରେ ଜ୍ଵର ହେବା ସହିତ ଦେହ ଭଲ ରହୁ ନଥିଲା । ପୂର୍ବରୁ ମଧ୍ୟ ଏହିପରି ଭାବରେ ତାର ଦେହ ବେଳେବେଳେ ଅସୁସ୍ଥ ହୋଇପଡ଼େ । ପ୍ରଥମେ ପରିବାର ଲୋକ କାଲିମେଳା, ମାଲକାନଗିରି ଓ ଶେଷରେ ଭଦ୍ରାଚଳମ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ହେଲେ ରୋଗ ଭଲ ହେଉନାହିଁ । ତେଣୁ, ବାପୁନକୁ ଗତ ମାସରେ ସେମାନେ ପୁନର୍ବାର ଭଦ୍ରାଚଳମ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ବାପୁନର ପରୀକ୍ଷା ନିରୀକ୍ଷା କରିବା ପରେ ତାକୁ ରକ୍ତ କର୍କଟ ରୋଗ ହୋଇଥିବାର କହିଥିଲେ । ଏହା ଶୁଣି ବାପୁନର ବିଧବା ମା”ର ପାଦ ତଳୁ ମାଟି ଖସିପଡ଼ିଥିଲା । ଗରିବ ବାପା ଛେଉଣ୍ଡ ପୁଅକୁ ଭଗବାନ ଏତେ ଦଣ୍ଡ ଦେବେ ବୋଲି ସେ କେବେ ଭାବି ନଥିଲେ । ମୂଲ ଲାଗି ଚଳୁଥିବା ସୁବାସିନୀ ଏବେ ପୁଅର କିପରି ଚିକିତ୍ସା କରିବେ ସେହି ଚିନ୍ତାରେ ଆଖିରୁ ଲୁହ ଶୁଖୁନି । କର୍କଟ ରୋଗରେ ପୁଅ ଏବେ କେବଳ ଶୋଇ ରହୁଛି । ରୋଗର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଏତେ ଟଙ୍କା ସେ କେଉଁଠୁ ଆଣିବେ ସେହି ଚିନ୍ତାରେ ଅଛନ୍ତି । ତେବେ ତାଙ୍କ ନିକଟରେ ରାଜ୍ୟ ସରକାର ଦେଇଥିବା ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଡ ଖଣ୍ଡିଏ ରହିଛି । ହେଲେ ସେହି କାର୍ଡର ବ୍ୟବହାର ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି । ବାହାର ରାଜ୍ୟରେ ଏହି କାର୍ଡ କାମ କରୁଛି କି ନାହିଁ ସେ ଜାଣିନାହାଁନ୍ତି ତେଣୁ ସେ ନିଜ ପୁଅର ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।
Related Stories
November 23, 2024