-
ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ରାଉରକେଲା, ରାଉରକେଲାର କୋଏଲ ନଦୀରେ ବୁଡି ନିଖୋଜ ଥିବା ୪ ନାବାଳକଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣକର ମୃତଦେହ ଉଦ୍ଧାର ହୋଇଛି । ଫଳରେ କୋଏଲ ନଦୀ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
ଗତକାଲି ରାଂଚି ଅଂଚଳରୁ ଝିରିପାଣିକୁ ଏକ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ଦୁଇଟି ପରିବାରର ଏହି ୪ ଜଣ ନାବାଳକ ରିଷି ସାହୁ, ଆୟୁଷ ସାହୁ, କୁନାଲ ସାହୁ ଓ କୌଶଲ ସାହୁ କୋଏଲ ନଦୀର ଝିରିପାଣି ପମ୍ପ ହାଉସ୍ ନିକଟକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ସମୟରେ ନଦୀର ଗଭୀରତା ଓ ସ୍ରୋତକୁ ଆକଳନ କରିନପାରି ପିଲାମାନେ ଜଣକ ପରେ ଜଣେ ପାଣିରେ ବୁଡିଯିବା ସହ ଚିତ୍କାର କରିଥିଲେ । ଆଖପାଖ ଅଂଚଳର ବାସିନ୍ଦା ସେମାନଙ୍କୁ ବଂଚାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ପ୍ରଥମେ ଦୁଇ ନାବାଳକ ରିଷି ସାହୁ ,ଆୟୁଷ ସାହୁଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ପରେ ସନ୍ଧ୍ୟା ସାଢ଼େ ୬ଟା ସମୟରେ ନିଖୋଜ ଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଆଜି ସକାଳୁ ନିଖୋଜ ଥିବା ଅନ୍ୟ ଜଣକର ଶବ ଭାସୁଥିବା ନେଇ ସାଧାରଣ ଲୋକେ ଝିରିପାଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଂଚି ଶବକୁ ଉଦ୍ଧାର କରିଥିଲେ । ତେବେ ଆଜି ୪ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୋଲିସ । ଝିରିପାଣି ଥାନା ପୋଲିସ ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ୪ଟି ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କୋଏଲ ନଦୀର ଏହି ସବୁ ଅଂଚଳରେ ବିଭିନ୍ନ ସମୟରେ ଏହିଭଳି ଅଘଟଣ ଘଟି ଅକାଳରେ ଅନେକ ଜୀବନ ହାନି ଘଟୁଛି । ତେବେ ପୋଲିସ ଓ ପ୍ରଶାସନ ଏଭଳି ଅଘଟଣକୁ ରୋକିବାରେ ଏଯାବତ୍ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନଥିବା ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।