ପୁରୀ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ । ଭକ୍ତଙ୍କୁ ରାଜାଧିରାଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି । ଗତକାଲି ବାହୁଡ଼ା ଯାତ୍ରାରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରୁ ଆସି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାର ନିକଟରେ ପହଂଚିଥିଲା । ଆଜି ରଥ ଉପରେ ଶ୍ରୀଜୀଉ ମାନଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ସଜ୍ଜିତ ହେବେ ଦାରୁବ୍ରହ୍ମ । କରୋନା କଟକଣା କୋହଳ ହେବା ପରେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ରଥାରୁଢ଼ ଶ୍ରୀଜୀଉମାନଙ୍କ ସୁନାବେଶ ଦେଖିବାର ସୁଯୋଗ ପାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଂଟ ଅନୁଯାୟୀ, ଆଜି ଅପରାହ୍ନ ୪ଟା ଠାରୁ ରାତି ୧୧ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଏହି ଦୁଲ୍ଲଭ ବେଶ ଦେଖିପାରିବେ । ସନ୍ଦ୍ୟା ଆଳତୀ ପରେ ଏହି ବେଶ ଆରମ୍ଭ ହେବ ।
ଶ୍ରୀମନ୍ଦିର ଭିତରେ ଶ୍ରୀଜିଉ ମାନେ ବର୍ଷକୁ ଚାରିଥର ସୁନାବେଶ ହେଉଥିବା ବେଳେ ରଥ ଉପରେ ଆଷାଢ ଶୁକ୍ଲ ଏକାଦଶୀରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ଦଶହରା, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ । ରହସ୍ୟମୟ ଠାକୁରଙ୍କ ରହାସ୍ୟମୟ ଲୀଳା ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ରଥ ଉପରେ ସମସ୍ତ ଅଳଙ୍କାର ସୁବର୍ଣ୍ଣ ହୋଇଥିବା ବେଳେ କେବଳ ଆୟୁଧ ଶଙ୍ଖ ରୂପାରେ ନିର୍ମିତ । ଏହାସହ ଫୁଲରେ ନିର୍ମିତ ହୋଇଥାଏ ଅଧରମାଳ, ନାକୁଆସି ଓ ଝୁମ୍ପା ।
ରଥ ଉପରେ ଆଜି ସକାଳୁ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଛି । ସକାଳୁ ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅବକାଶ ପୁଜା ଓ ବେଶ ହୋଇଥିଲା ।
ଶ୍ରୀବଳଭଦ୍ରଙ୍କ ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀବଳଭଦ୍ର ଠାକୁରଙ୍କୁ ସ୍ଵର୍ଣ୍ଣର ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳତା, ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଲାଗି ହେବ ।
ମା ସୁଭଦ୍ରାଙ୍କ ସ୍ଵର୍ଣ୍ଣ ଅଳଙ୍କାର-
ମା ସୁଭଦ୍ରାଙ୍କୁ ଲାଗି ହୋଇଥିବା ସ୍ଵର୍ଣ୍ଣ ଅଳଙ୍କାର ମଧ୍ୟରେ କିରିଟ, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବ ମାଳି, ତଗଡୀ ଓ ସେବତୀ ମାଳି ଲାଗି ହେବ ।
ଶ୍ରୀଜଗନ୍ନାଥଙ୍କ ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀଭୂଜ, ଶ୍ରୀପୟର, କିରିଟ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ଵର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, ହରିଡାମାଳି, କଦମ୍ବମାଳି, ବାହାଡା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି ସ୍ଵର୍ଣ୍ଣଅଳଙ୍କାର ଲାଗି ହେବ ।