-
ତାଳଧ୍ଵଜ ଓ ଦର୍ପଦଳନ ରଥ ଶ୍ରୀମନ୍ଦିର ସିଂହଦ୍ଵାରରେ ଲାଗିଲା
ପୁରୀ, ଆଜି ବାହୁଡ଼ା ଯାତ୍ରା । ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ଦିବସ । ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ଚତୁର୍ଦ୍ଧାମୂର୍ତି । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ତାଳଧ୍ଵଜ ଓ ଦର୍ପଦଳନ ରଥ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲାଗି ସାରିଥିବା ବେଳେ ନନ୍ଦିଘୋଷ ରଥ ମର୍ଚ୍ଚିକୋଟ ଛକରେ ପହଂଚିଛି । ନନ୍ଦିଘୋଷ ରଥ ରାଜାଙ୍କ ଶ୍ରୀନଅର ନିକଟରେ ପହଂଚିବା ପରେ ସେଠାରେ ଲକ୍ଷ୍ମୀ-ନାରାୟଣ ଭେଟ ଅନୁଷ୍ଠିତ ହେବ ।
ଆଜି ଭୋର୍ ୪ଟା ଠାରୁ ବିଭିନ୍ନ ନୀତିକାନ୍ତି ପରେ ଟାହିଆ ଲାଗି ହୋଇ ଧାଡ଼ି ପହଣ୍ଡିରେ ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି । ସକାଳ ୭ଟା ୫୫ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଦର୍ପଦଳନ ରଥରେ ଉପବେଶନ କରିଥିଲେ ସୁଦର୍ଶନ । ଏହାପରେ ତାଳଧ୍ଵଜ ରଥରେ ବିଜେ କରିଥିଲେ ଶ୍ରୀ ବଳଭଦ୍ର । ପରେ ପରେ ମା ଜଗତଜନନୀ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିଜେ କରିଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ନନ୍ଦିଘୋଷ ରଥାରୁଢ଼ ହୋଇଥିଲେ ଜଗତର ନାଥ ଶ୍ରୀ ଜଗନ୍ନାଥ । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଶରଧାବାଲି । ଝିପି ଝିପି ବର୍ଷାରେ ଭିଜି ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଏହି ପହଣ୍ଡିକୁ ଅପଲକ ନୟନରେ ଚାହିଁ ରହିଥିଲେ । ପୂର୍ବାହ୍ନ ୧୧ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ଯଥାକ୍ରମେ ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ବିଜେ କରିଥିଲେ । ରଥ ଉପରେ ତିନି ଠାକୁରଙ୍କ ବେଶ ସମ୍ପନ୍ନ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିଥିଲେ । ସାଢ଼େ ୧୨ଟାରେ ଛେରାପହଁରା ଆରମ୍ଭ ହୋଇ ଅପରାହ୍ନ ୧ଟା ୧୫ ସୁଦ୍ଧା ଶେଷ ହୋଇଥିଲା । ପ୍ରଥମେ ତାଳଧ୍ଵଜ, ପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ଏହାପରେ ତିନି ରଥରେ ଘୋଡ଼ା ଯୋଚାଯିବା ସହ ଦଉଡ଼ି ବନ୍ଧା ଯାଇଥିଲା ।
ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥଟଣା ଅପରାହ୍ନ ୧ଟା ୪୫ ରେ ଆରମ୍ଭ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରା ଦର୍ପଦଳନ ରଥଟଣା ୨ଟା ୧୦ ରେ ଏବଂ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ୨ଟା୫୦ରେ ଆରମ୍ଭ ହୋଇଥିଲା ।
ଅନ୍ୟପକ୍ଷରେ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସର୍ବସାଧାରଣ ଦର୍ଶନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିଥିବା ବେଳେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦର୍ଶନ ସମୟର ଅବଧିକୁ ବୃଦ୍ଧି କରାଯାଇଥିଲା ।