ପୁରୀ, ଆଜି ବାହୁଡ଼ା ଯାତ୍ରା । ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ଦିବସ । ଜନ୍ମବେଦିରେ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତି । ଭୋର୍ ୪ଟା ଠାରୁ ବିଭିନ୍ନ ନୀତିକାନ୍ତି ପରେ ଟାହିଆ ଲାଗି ହୋଇ ଧାଡ଼ି ପହଣ୍ଡିରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତି ।
ସକାଳ ୭ଟା ୪୦ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଦର୍ପଦଳନ ରଥରେ ଉପବେଶନ କରିଥିଲେ ସୁଦର୍ଶନ । ଏହାପରେ ତାଳଧ୍ଵଜ ରଥରେ ବିଜେ କରିଥିଲେ ଶ୍ରୀ ବଳଭଦ୍ର । ପରେ ପରେ ମା ଜଗତଜନନୀ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିଜେ କରିଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ନନ୍ଦିଘୋଷ ରଥାରୁଢ଼ ହୋଇଥିଲେ ଜଗତର ନାଥ ଶ୍ରୀଜଗନ୍ନାଥ । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଶରଧାବାଲି । ଝିପି ଝିପି ବର୍ଷାରେ ଭିଜି ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଏହି ପହଣ୍ଡିକୁ ଅପଲକ ନୟନରେ ଚାହିଁ ରହିଥିଲେ । ପୂର୍ବାହ୍ନ ୧୧ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା । ପରେ ରଥ ଉପରେ ତିନି ଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।
ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସର୍ବସାଧାରଣ ଦର୍ଶନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିଥିବା ବେଳେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦର୍ଶନ ସମୟର ଅବଧିକୁ ବୃଦ୍ଧି କରାଯାଇଥିଲା ।