
ଭୁବନେଶ୍ୱର – ପାଇକ ଆଖଡ଼ାକୁ ସ୍କୁଲ୍ ଓ କଲେଜରେ ସାମିଲ୍ କରି ଏହାକୁ ଏନ୍.ସି.ସି, ସ୍କାଉଟ୍ ଭଳି ମାନ୍ୟତା ଦେବାକୁ ଦାବି କରି ଆଜି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ରାଜ୍ୟ କର୍ମକର୍ତା ଗଣ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭେଟି ଆଲୋଚନା କରିବା ସହିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ପୁରାତନ ସମରକଳା ବା ପାଇକ ଆଖଡ଼ା ଯାହା ଓଡ଼ିଶାର ନିଜସ୍ୱ ସମରକଳା ତାହାର ସୁରକ୍ଷା, ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ ନେବା ସହିତ ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା, ପ୍ରତ୍ୟେକ ସ୍କୁଲ୍ କଲେଜରେ ପାଇକ ଆଖଡ଼ା ଖୋଲି ଏହାକୁ ଏନ୍.ସି.ସି. ଓ ସ୍କାଉଟ୍ ଭଳି ମାନ୍ୟତା ଦେବା, ମାର୍ଚ୍ଚ ୨୯ ତାରିଖକୁ ଓଡ଼ିଶା ପାଇକ ଦିବସ ଭାବରେ ପାଳନ କରିବା, ପାଇକ ଏକାଡ଼େମୀ ଗଠନ ଏବଂ ପ୍ରତ୍ୟେକ ବର୍ଷ ପାଇକ ଆଖଡ଼ା ପ୍ରତିଯୋଗିତା କରିବା ଓ ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗରୁ ପୁନରାୟ କ୍ରୀଡ଼ା ବିଭାଗକୁ ଆଣିବା, ପାଇକଗୁରୁ ମାନଙ୍କୁ ସ୍ୱତନ୍ତ୍ର ପାଇକ ଭତା ପ୍ରଦାନ କରିବା ଦାବୀ ନେଇ ଆଜି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀ ଉପରେ ମାନ୍ୟବର ମନ୍ତ୍ରୀ ଆଲୋଚନା କରି ଖୁବ୍ ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ସାକ୍ଷାତ୍ ଆଲୋଚନାରେ ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ ପାଇକ ସର୍ଦ୍ଦାର ରଞ୍ଜନ ବଳିଆରସିଂହ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କାକଟପୁର ପାଇକ ଆଖଡ଼ା ସଂଘର ସଭାପତି ଶ୍ରୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।