ପିପିଲି, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଅଂଚଳରେ ଥିବା ଶନିମନ୍ଦିର ଓ ଗତିଶ୍ଵର ମନ୍ଦିରରୁ ଲୁଟ୍ ହୋଇଛି । ଦୁର୍ବୃତ ମାନେ ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପଶିବା ସହ ହୁଣ୍ଡି ତାଡି ଟଙ୍କା ଲୁଟି ନେଇଛନ୍ତି । ଏହାପରେ ହୁଣ୍ଡିକୁ ନିକଟସ୍ଥ ଦୟାନଦୀରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଏଥିସହ ମନ୍ଦିରରେ ଥିବା ପିତଳ ମୂର୍ତି ଓ ଅନ୍ୟାନ୍ୟ ମୂର୍ତି ଚୋରି ହୋଇଛି । ଗ୍ରାମବାସୀ ଆଜି ସକାଳୁ ଏ ସମ୍ପର୍କରେ ଜାଣିବା ପରେ ପିପିଲି ଥାନାରେ ଏତଲା ହୋଇଛି । ଏତଲାକୁ ଭିତି କରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଏକ ମାସ ମଧ୍ୟରେ ପିପିଲି ଅଂଚଳର ୧୦ଟି ମନ୍ଦିରରୁ ଚୋରି ହୋଇଛି । ଅନୁରୂପ ଭାବେ ଗତ ଜୁନ୍ ୨ ତାରିଖ ବିଳମ୍ବିତ ରାତିରେ ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଥିବା ଶ୍ରୀ ନୃସିଂହନାଥ ମନ୍ଦିରରୁ ଚୋରି ହୋଇଥିଲା । ଦୁର୍ବୃତ ମାନେ ସମାନ ଢ଼ଙ୍ଗରେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପଶିଥିଲେ । ୧୫ଟି ଅଷ୍ଟଧାତୁ ମୂର୍ତି, ଠାକୁରଙ୍କ ରୂପା କିରଟୀ ଏବଂ ଦାନବାକ୍ସ ଚୋରି କରିନେଇଥିଲେ । ମନ୍ଦିର ପରିଚାଳନା କମିଟିର ଏତଲାକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଇତିମଧ୍ୟରେ ମାସେରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ସୁଦ୍ଧା ଚୋର ଧରିବା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ପୋଲିସ ବିଫଳ ହୋଇଛି । ଗୋଟିଏ ବି ଘଟଣାରେ ପୋଲିସକୁ ଏଯାଏଁ ସଫଳତା ମିଳିପାରିନାହିଁ । ଏପରି ସ୍ଥିତିରେ ପୁଣି ଥରେ ଦୁଇଟି ମନ୍ଦିରରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଚୋର ଦଳ । ଅନ୍ୟପକ୍ଷରେ ପୋଲିସର ଏଭଳି ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
Related Stories
November 24, 2024
November 24, 2024