-
ଆସନ୍ତାକାଲି ବାହୁଡ଼ା ଯାତ୍ରା
ପୁରୀ, ନବଦିନ ବ୍ୟାପୀ ରଥଯାତ୍ରାର ଆଜି ଅଷ୍ଟମ ଦିବସରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ମାନେ ଶୃଙ୍ଖଳିତ ଭାବେ ଧାଡିରେ ବ୍ୟାରିକେଡ଼୍ ଦେଇ ଯାଇ ସିଂହଦ୍ଵାର ଦେଇ ପ୍ରବେଶ ପୂର୍ବକ ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ଓ ଆଡ଼ପ ଅବଢ଼ା ପାଇ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଜନ୍ମବେଦିରେ ଆଜି ଶ୍ରୀଜୀଉଙ୍କ ଅନ୍ତିମ ଦର୍ଶନ । ଏହାପରେ ବାହୁଡ଼ା ଯାତ୍ରା ପାଇଁ ଦଇତାପତି ସେବକ ମାନେ ନୀତିକାନ୍ତି ଆରମ୍ଭ କରିବେ । ସେଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତ ମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ଆଡ଼ପ ମଣ୍ଡପରେ ସନ୍ଧ୍ୟାଦର୍ଶନ କଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଓ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ବୁଧବାର ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାରରେ ଥିବା ତିନି ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା । ବର୍ତମାନ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ରଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ । ଆସନ୍ତା କାଲି ବାହୁଡ଼ା ଯାତ୍ରା । ଶ୍ରୀଜୀଉମାନେ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବା ପରେ ତିନି ରଥ ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ । ଏହାପରେ ୧୦ ତାରିଖରେ ସୁନାବେଶ, ୧୧ ରେ ଅଧରପଣା ଏବଂ ୧୨ ତାରିଖରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ । ୧୩ ତାରିଖ ଠାରୁ ଭକ୍ତ ମାନେ ପୁଣି ଥରେ ଶ୍ରୀକ୍ଷେତ୍ର ଅବଢ଼ା ପାଇପାରିବେ ।