ଭୁବନେଶ୍ୱର,ଜମି ପଟ୍ଟା କରିବା ପାଇଁ ଲାଂଚ ନେଉଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲର ତହସିଲଦାର ସତ୍ୟ ସୁନ୍ଦର ରାଉତ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ତାଙ୍କ ସହ ଅମିନ କମଳ ଲୋଚନ ପାତ୍ର ମଧ୍ୟ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜମି ପଟ୍ଟା କରିଦେବା ପାଇଁ ଭଞ୍ଜକିଆର ଚକ୍ରଧର ମହାନ୍ତଙ୍କ ଠାରୁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ମୋଟ ୪୦ ହଜାର ଟଙ୍କା କଥାବାର୍ତା ହେଇଥିବା ବେଳେ ପୂର୍ବରୁ ୨୫ ହଜାର ଟଙ୍କା ଅମିନ କମଳ ପାତ୍ରଙ୍କ ଜରିଆରେ ନେଇଥିଲେ । ଆଜି ବାକି ୧୫ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ମାଡି ବସିଥିଲା । ଏହାପରେ ଶ୍ରୀ ରାଉତ ଏବଂ ଶ୍ରୀ ପାତ୍ରଙ୍କ ସମ୍ପତି ଯାଂଚ କରାଯାଉଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ କେସ୍ ନଂ ୧୯/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।