ଭୁବନେଶ୍ୱର, ଏ.ଆଇ.ଟି.ୟୁ.ସି. ସହବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର୍ ଆଣ୍ଡ୍ ବିଲଡିଂ କନ୍ଷ୍ଟ୍ରକ୍ସନ୍ ୱାର୍କରସ୍ ୟୁନିୟନ୍ର ରାଜ୍ୟ କମିଟି ବୈଠକ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ନିର୍ମାଣ କଲ୍ୟାଣ ବୋର୍ଡ଼ ମେ’ ୧ ତାରିଖଠାରୁ ଅନ୍ଲାଇନ୍ ନାମରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ସହାୟତା ରାଶି ପ୍ରଦାନ ବନ୍ଦ କରାଯିବା ପ୍ରତିବାଦରେ ବ୍ୟାପକ ସଂଗ୍ରାମ ପାଇଁ ଆହ୍ୱାନ ଦିଆଯାଇଛି । ୟୁନିୟନ୍ର ସାଧାରଣ ସମ୍ପାଦକ ବିଜୟ ଜେନା ତାଙ୍କ ବକ୍ତବ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ ।
ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି, ଯଥା – ଅନ୍ଲାଇନ୍ ଜରିଆରେ ଶ୍ରମ କାର୍ଯ୍ୟାଳୟରେ ପୂର୍ବରୁ ପଞ୍ଜିକରଣ କରାଯାଉଥିଲା । ବର୍ତ୍ତମାନ ଶ୍ରମ କାର୍ଯ୍ୟାଳୟକୁ ନ ଆସି ବିଭିନ୍ନ ସ୍ଥାନରେ ଅନ୍-ଲାଇନ୍ ଜରିଆରେ ପଞ୍ଜିକରଣ ପ୍ରକ୍ରିୟାରେ ନିର୍ମାଣ ଶ୍ରମିକମାନେ କ୍ଷତିଗ୍ରସ୍ତ ହେବେ । ରାଜ୍ୟରେ ବିଭିନ୍ନ କାର୍ଯ୍ୟାଳୟରେ, ଯଥା – ରେଳବାଇ, ଜୀବନ ବୀମା, ଜନ୍ମ-ମୃତ୍ୟୁ ପଞ୍ଜିକରଣ, ଜମିପଟ୍ଟା, ଅନ୍ୟାନ୍ୟ କାର୍ଯ୍ୟ ଉଭୟ ଅଫ୍ ଲାଇନ୍ ଓ ଅନ୍ ଲାଇନ୍ ଜରିାଅରେ ହେଉଥିଲେ ମଧ୍ୟ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଆବେଦନ ଫର୍ମ ଗ୍ରହଣ ନ କରିବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ବାସ୍ତବତାକୁ ବିଚାର କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ମଧ୍ୟ ସମ୍ପାଦନ କରାଯାଉ । ଏଲ୍.ଆଇ.ସି. ଓ ଅନ୍ୟାନ୍ୟ ପ୍ରିମିୟମ୍ ଦାଖଲ ପରି ନିର୍ମାଣ ଶ୍ରମିକମାନେ ଅଫିସ୍ରେ ମଧ୍ୟ ପ୍ରିମିୟମ୍ ଦାଖଲ କରିବା, ବିଭିନ୍ନ ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ମୃତ୍ୟୁକାଳୀନ, ଶିକ୍ଷା, ବିବାହ, ପ୍ରସୂତୀକାଳୀନ ଓ ନୂତନ ପଞ୍ଜିକରଣ ତୁରନ୍ତ କରାଯାଉ ।
ଏହି ବୈଠକରେ ପ୍ରବୀଣ ଦାସ, ତ୍ରୈଲୋକ୍ୟ ନାଥ, ସୋମନାଥ ଗିରି, ବଳରାମ କୁସୁଲିଆ, ଜ୍ୟୋତନ୍ଦ୍ରନାଥ ସଭାପତି, କାହ୍ନୁ ବେହେରା, ଧର୍ମରାଜ ପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ନିର୍ମାଣ ଶ୍ରମିକଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପୂରଣ କରିବା ସହ ଏବଂ ୟୁନିୟନ୍ର ଅଷ୍ଟମ ସମ୍ମିଳନୀ ଜୁଲାଇ ୩୦, ୨୧ ଦୁଇଦିନ ଧରି ଛତ୍ରପୁରଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀର ସଫଳତା ପାଇଁ ଆହ୍ୱାନ ଦେଇଥିଲେ ।