-
ଖବର ସଂଗ୍ରହରେ ଯାଇଥିବା ସାମ୍ବାଦିକଙ୍କୁ କାଳିମେଘି ପଚାଂୟତ ସରପଂଚଙ୍କ ସ୍ଵାମୀଙ୍କ ଦବଙ୍ଗଗିରି
ଗଞ୍ଜାମ,ଦିନକୁ ଦିନ ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ସାମ୍ବାଦିକଙ୍କ ଉପରେ ଠିକାଦାର, ସରପଂଚ ଓ ମାଫିଆଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି ତ ଆଉ କେଉଁଠି ସଠିକ୍ ଖବର ପ୍ରସାରଣ କଲେ ସାମ୍ବାଦିକଙ୍କୁ ମିଳୁଛି ହତ୍ୟା ଧମକ । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଚାଂୟତରେ । ପଚାଂୟତର ଜଗତା ଘାଇରେ ଚାଲିଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ପାଇବା ପରେ ଖବର ସଂଗ୍ରହ ପାଇଁ ପହଂଚିଥିବା ସାମ୍ବାଦିକଙ୍କ ସହ ପଚାଂୟତର ସରପଂଚଙ୍କ ସ୍ଵାମୀ ତଥା ଠିକାଦାର ବିଶ୍ଵାମିତ୍ର ତ୍ରିପାଠୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଦେଖାଇଛନ୍ତି ଦବଙ୍ଗଗିରି ।
ଚାଷୀଙ୍କ ଜମିକୁ ଜଳସେଚନ ସାଙ୍ଗକୁ ଗୋଟିଏ ଗୋଟିଏ ଟୁରିଜିମ ସ୍ପଟ କରିବା ଉଦେଶ୍ୟ ନେଇ କବିସୂର୍ଯ୍ୟନଗର ବିଧାୟିକାଙ୍କ ପ୍ରଚେଷ୍ଟାରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ୨ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ ଜଗତା ଘାଇର ଉନ୍ନତିକରଣ କାର୍ଯ୍ୟ ଗତ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଛି । ଏହି ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଯନ୍ତ୍ରୀଙ୍କ ଦାମିକା ଗାଡ଼ିରେ ଠିକାଦାର ବୁଲି ମଜା ମଜଲିସ ଚଳାଇଥିବା ବେଳେ କାର୍ଯ୍ୟର ତଦାରଖ କରିବାକୁ ଘଟଣାସ୍ଥଳରେ ଉପସ୍ଥିତ ରହୁନାହାନ୍ତି ଯନ୍ତ୍ରୀ । କୋଦଳାରେ ରହିଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି ଯନ୍ତ୍ରୀ । ଫଳରେ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି କାର୍ଯ୍ୟର ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟ ଶେଷ ତାରିଖ କହିପାରୁନାହାନ୍ତି ଯନ୍ତ୍ରୀ । ଜନସାଧାରଣଙ୍କ ଅବଗତି ନିମନ୍ତେ ଏଠାରେ ଲାଗିନି ସୂଚନା ଫଳକ । କାର୍ଯ୍ୟ ସମ୍ବନ୍ଧରେ ପଚାରିଲେ ଯନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଗୁଣ୍ଡାର ଆକ୍ଷା ଦେବା ସହିତ ଠିକାଦାର ଦ୍ଵାରା କରାଇଛନ୍ତି ଦୁର୍ବ୍ୟବହାର । ହେଲେ ଏଠି ପ୍ରଶ୍ନ ଉଠୁଛି ସତ୍ୟର ସନ୍ଧାନ କଲେ ଜଣେ ସାମ୍ବାଦିକ କେବେ ଗୁଣ୍ଡା ହୋଇଯାଏ କି ? ସରକାରୀ ବାବୁ ଯାହା କରିବେ ତାହା ଠିକ, ଦୁର୍ନୀତି ପଦାକୁ ଆଣିବା ଭୁଲ୍ କି । ହିଟଲର ଶାସନ ଭଳି କାର୍ଯ୍ୟ କରୁଥିବା ଓ ସରକାରୀ ଟଙ୍କା ଆତ୍ମସାତ କରି ଦାମୀ ଗାଡ଼ିରେ ବୁଲୁଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି । ଏବଂ ସାମ୍ବାଦିକଙ୍କ ଉପରେ ଦୁର୍ବ୍ୟବହାର କରିଥିବା ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।